କାଣ୍ଡି (ଏଟିଆର ବ୍ୟୁରୋ); ନୂଆ ରେକର୍ଡ ପ୍ରତିଷ୍ଠା କଲେ ସିଂହଳୀ ଦୃତ ବୋଲର ଲସିଥ ମଲିଙ୍ଗା । ମାତ୍ର ୧୨ ଘଣ୍ଟା ମଧ୍ୟରେ ଦୁଇଟି ଦେଶରେ ଦୁଇଟି ମ୍ୟାଚ ଖେଳି ୧୨ ୱିକେଟ ଅକ୍ତିଆର କରିଛନ୍ତି । ବୁଧବାର ରାତିରେ ୱାଙ୍ଖଡେରେ ଆଇପିଏଲ୍ର ଏକ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଚେନ୍ନାଇ ସୁପର୍ କିଙ୍ଗ୍ସ ବିପକ୍ଷରେ ଖେଳିଥିବା ମାଲିଙ୍ଗା ୩୪ ରନ୍ରେ ୩ ୱିକେଟ୍ ନେଇଥିଲେ। ରାତାରାତି ବିମାନଯୋଗେ ସ୍ବଦେଶ ପ୍ରତ୍ୟାବର୍ତନ କରିବା ପରେ ଗୁରୁବାର କାଣ୍ଡିରେ ସୁପର୍ ଫୋର୍ ପ୍ରଭିନ୍ସିଆଲ ସୀମିତ ଓଭର କ୍ରିକେଟ୍ରେ ଗଲ୍ ଦଳର ନେତୃତ୍ବ ନେଇଥିଲେ।ବିଶ୍ବକପ୍ ଲାଗି ଏହି ସୀମିତ ଓଭର ପ୍ରତିଯୋଗିତାକୁ ଚୟନ ପ୍ରକ୍ରିୟା ଭାବେ ବିବେଚନା କରାଯାଉଥିବାରୁ ତାଙ୍କୁ ଖେଳିବାକୁ ବାଧ୍ୟ କରାଯାଇଛି। ଗଲ୍ ଦଳର ନେତୃତ୍ବ ମଧ୍ୟ ତାଙ୍କୁ ଦିଆଯାଇଛି। ବିଶ୍ବକପ୍ରେ ମଧ୍ୟ ମାଲିଙ୍ଗା ଶ୍ରୀଲଙ୍କା ଦଳର ନେତୃତ୍ବ ନେବା ସମ୍ଭାବନା ରହିଛି।
ଏହି ମ୍ୟାଚ୍ରେ ସେ ବ୍ୟାଟିଂରେ ମାତ୍ର ୨ ରନ୍ କରିଥିଲେ। କିନ୍ତୁ ବୋଲିଂରେ ୭/୪୯ ଚିତ୍ର ପାଇଥିଲେ। କାଣ୍ଡି ବିପକ୍ଷରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ସେ ପ୍ରଥମ ୫ ୱିକେଟ୍ ନେବା ସାଙ୍ଗକୁ ମୋଟ ୭ ୱିକେଟ୍ ସଫଳତା ପାଇଥିଲେ। ଏଥି ସହିତ ଦୁଇ ଦିନ ଭିତରେ ଦୁଇଟି ଦେଶ ଏବଂ ଦୁଇଟି ଭିନ୍ନ ଦଳରୁ ଖେଳି ସେ ୧୦ ୱିକେଟ୍ ସଫଳତା ପାଇଥିଲେ।ମୁମ୍ବାଇ ଇଣ୍ଡିଆନ୍ସ ତା’ର ପରବର୍ତ୍ତୀ ମ୍ୟାଚ୍ ୬ ତାରିଖରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳିବ। ଏହି ମ୍ୟାଚରେ ମାଲିଙ୍ଗା ଉପଲବ୍ଧ ହେବେ ନାହିଁ। ତାଙ୍କୁ ଏପ୍ରିଲ ୧୧ ତାରିଖ ପର୍ୟ୍ୟନ୍ତ ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ପଡ଼ିବ। ତେବେ ଆସନ୍ତା ୧୩ ତାରିଖରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ସେ ମୁମ୍ବାଇ ପାଇଁ ଉପଲବ୍ଧ ରହିବେ।