ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଆନ୍ତର୍ଜାତିକ କ୍ରିକେଟକୁ ଅଲବିଦା କହିଛନ୍ତି ଭାରତୀୟ ଉଦୀମମାନ ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ । ବିଶ୍ୱକପରେ ତାଙ୍କୁ ସ୍ଥାନ ନମିଳିବା ଦିନଠାରୁ ରାଗରେ ରହିଥିଲେ ରାୟୂଡୁ । ତେବେ ଦଳର ଦୁଇଜଣ ଖେଳାଳି ଆହତ ହେବା ପରେ ମଧ୍ୟ ତାଙ୍କୁ ଦଳରେ ସାମିଲ କରାଯାଇନଥିଲା । ଯେଉଁ କାରଣରୁ ସେ ଅବସର ଘୋଷଣା କରିଛନ୍ତି । ପୂର୍ବରୁ ପ୍ରଥମ ଶ୍ରେଣୀ କ୍ରିକେଟରୁ ଅବସର ଘୋଷଣା କରିଥିଲେ ରାୟୁଡୁ । ତେବେ ସେ ଆଗାମି ଦିନରେ କେବଳ ଆଇପିଏଲ ଖେଳିବେ ବୋଲି କହିଛନ୍ତି ।
୩୩ ବର୍ଷୀୟ ଅମ୍ବାତି ରାୟଡୁ ୨୦୧୩ରେ ଦିନିକିଆରେ ଭାରତ ପାଇଁ ଡେବ୍ୟୁ କରିଥିଲେ । ଏବଂ ୫୫ଟି ଅନ୍ତର୍ଜାତୀୟ ଦିନିକିଆ ଖେଳି ୪୭.୦୫ ଆଭରେଜରେ ୧୬୯୪ ରନ୍ ହାସଲ କରିଛନ୍ତି । ଯେଉଁଥିରେ ୩ଟି ଶତକ ସହ ୧୦ଟି ଅର୍ଦ୍ଦଶତକ ମଧ୍ୟ ସାମିଲ ରହିଛି । ଏହାସହ ୬ଟି ଆନ୍ତର୍ଜାତୀୟ ଟି-୨୦ ମ୍ୟାଚ ମଧ୍ୟ ଖେଳିଛନ୍ତି । ଅମ୍ବାତି ରାୟଡୁ ୨୦୧୯ ମାର୍ଚ ୮ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଦିନିକିଆ ମ୍ୟାଚ୍ ଖେଳିଥିଲେ ।
ବିଶ୍ୱକପ୍ ପୂର୍ବରୁ ରାୟୁଡୁ ଟିମ୍ ଇଣ୍ଡିଆର ୪ ନଂରେ ବ୍ୟାଟିଂ କରିବେ ବୋଲି କୁହାଯାଉଥିଲା। ହେଲେ ବିଶ୍ୱକପ୍ର ୧୫ ଜଣିଆ ସ୍କ୍ୱାଡ୍ରୁ ରାୟୁଡୁଙ୍କୁ ବିସିସିଆଇ ବାଦ ଦେଇ ବିଜୟ ଶଙ୍କରଙ୍କୁ ସୁଯୋଗ ଦେଇଥିଲା। ଏହି ଘଟଣାକୁ ନେଇ ରାୟୁଡୁ ନିଜର ଅସନ୍ତୋଷ ମଧ୍ୟ ଜାହିର କରିଥିଲା।
ବିଶ୍ୱକପ୍ ସ୍କ୍ୱାଡରେ ସାମିଲ ହୋଇ ନଥିଲେ ହେଁ ବିସିସିଆଇ ରାୟୁଡୁଙ୍କୁ ବ୍ୟାକଅପ୍ ଭାବେ ରଖିଥିଲା। ଶିଖର ଧୱନ ଓ ବିଜୟ ଶଙ୍କର ଆହତ ହେବା ପରେ ରାୟୁଡୁ ଇଂଲଣ୍ଡ ଗସ୍ତ କରିବାର ସୁଯୋଗ ପାଇବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା। କିନ୍ତୁ ବିସିସିଆଇ ଧୱନଙ୍କ ବଦଳରେ ରିଷଭ ପନ୍ତ ଓ ଶଙ୍କରଙ୍କ ବଦଳରେ ମୟଙ୍କ ଅଗ୍ରୱାଲଙ୍କୁ ବିଶ୍ୱକପ୍ ସ୍କ୍ୱାଡରେ ସାମିଲ କରିଛି।