ରାଞ୍ଚି (ଏଟିଆର ବ୍ୟୁରୋ); ତୃତୀୟ ଦିନିକିଆ ଜିତି ସିରିଜକୁ ଫେରିଛି ଅଷ୍ଟ୍ରେଲିଆ । ପ୍ରଥମ ଦୁଇଟି ଦିନିକିଆ ଲଢ଼େଇ କରି ହାରିଥିବା ଅଷ୍ଟ୍ରେଲିଆ ଶୁକ୍ରବାର ତୃତୀୟ ମ୍ୟାଚରେ ଭାରତକୁ ପରାସ୍ତ କରିଛି । ୫ଟି ଦିନିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ୨-୧ରେ ରହିଛି । ଆସନ୍ତା ୨ଟି ମ୍ୟାଚ ସଙ୍ଘର୍ଷପୂର୍ଣ୍ଣ ହେବ । ଅଷ୍ଟ୍ରେଲିଆର ୩୧୩/୫ ଜବାବରେ ଭାରତ ୨୮୧ ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। କୋହଲି ଓ କୁଲଦୀପଙ୍କ ବିନା ଅନ୍ୟ କାହାରିଠାରୁ ପ୍ରଶଂସନୀୟ ପ୍ରଦର୍ଶନ ନ ମିଳିବା ଭାରତକୁ ଆଗୁଆ ଶୃଙ୍ଖଳା ବିଜୟରୁ ରୋକିଥିଲା। ଶୁକ୍ରବାର ଜେଏସ୍ସିଏ ଷ୍ଟାଡିୟମ୍ରେ ବିରାଟ କୋହଲି ଟସ୍ ଜିତିଥିଲେ। ବ୍ୟାଟିଂ ପାଇଁ ଆମନ୍ତ୍ରିତ ହୋଇ ପଡ଼ିଆକୁ ସଙ୍କଳ୍ପବଦ୍ଧତା ସହ ଆସିଥିଲେ ଅଷ୍ଟ୍ରେଲିଆର ପ୍ରାରମ୍ଭିକ ଯୋଡ଼ି ଆରୋନ୍ ଫିଞ୍ଚ୍ ଏବଂ ଉସମାନ ଖୱାଜା। ପ୍ରଥମ ୪/୫ ଓଭର ଜଗି ରଖି ଖେଳିବା ପରେ ଭାରତୀୟ ବୋଲରଙ୍କୁ ଧୂଲେଇ ଆରମ୍ଭ କରି ଦେଇଥିଲେ।
ଖୱାଜାଙ୍କ ଏକ କ୍ୟାଚ୍ ଧାୱନ ହାତଛଡ଼ା କରିବା ପରେ ଏହି ଭାଗୀଦାରି ଭୟଙ୍କର ହେବାରେ ଲାଗିଥିଲା। ଫଳରେ ପ୍ରଥମ ୱିକେଟ୍ ପାଇଁ ଏମାନେ ୩୧.୫ ଓଭରରେ ୧୯୩ ରନ୍ ଉଠାଇ ବଡ଼ ସ୍କୋର୍ ଲାଗି ମୂଳଦୁଆ ପକାଇଥିଲେ। ୨୨ ଧଳା ବଲ୍ ପାଳିରେ ପ୍ରଥମ ଥର ୫୦ ଟପିଥିବା ଫିଞ୍ଚ୍ (୯୩, ୯୯ ବଲ, ୧୦ ଚୌକା, ୩ ଛକା)ଙ୍କୁ ଆଉଟ୍ କରି କୁଲଦୀପ ପ୍ରଥମ ସଫଳତା ଦେଇଥିଲେ। ଖୱାଜା (୧୦୪, ୧୧୩ ବଲ, ୧୧ ଚୌକା, ୧ ଛକା) କିନ୍ତୁ ସାମିଙ୍କ ଶିକାର ହେବା ପୂର୍ବରୁ ନିଜର ପ୍ରଥମ ଦିନିକିଆ ଶତକ ହାସଲ କରି ନେଇଥିଲେ। ଏହା ପରେ ଗ୍ଲେନ୍ ମ୍ୟାକ୍ସୱେଲ (୪୭, ୩୧ ବଲ, ୩ ଚୌକା, ୩ ଛକା)ଙ୍କୁ ରନ୍ ଆଉଟ୍ କରି ଜାଦେଜା/ଧୋନି ଭାରତକୁ ଅସଲ ପ୍ରତ୍ୟାବର୍ତନ କରାଇଥିଲେ। ଫଳରେ ଏକଦା ୧ ୱିକେଟ୍ରେ ୨୩୯ ରନ୍ କରିଥିବା ଅଷ୍ଟ୍ରେଲିଆ ୨୬୩/୫ରେ ପହଞ୍ଚିଯାଇଥିଲା। ଶେଷକୁ ମାର୍କସ ଷ୍ଟୋଇନିସ (୩୧ଞ୍ଚ, ୨୬ ବଲ, ୪ ଚୌକା) ଏବଂ ଆଲେକ୍ସ କ୍ୟାରି (୨୧ଞ୍ଚ, ୧୭ ବଲ, ୩ ଚୌକା) ଶେଷ ୬ ଓଭରରେ ପ୍ରାୟ ୫୦ ରନ୍ ଯୋଡ଼ିଥିଲେ।
୩୧୫ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ଟିମ୍ ଇଣ୍ଡିଆକୁ ପ୍ରାରମ୍ଭିକ ଝଟକା ଲାଗିଥିଲା । ୨୭ ରନରେ ଭାରତର ଶୀର୍ଷ ତିନି ୱିକେଟ୍ ନେଇ ଅଷ୍ଟ୍ରେଲିଆ ବୋଲରମାନେ ଦୃଢ଼ ଆରମ୍ଭ କରିଥିଲେ। ଘରୋଇ ଦଳର ଦୁଇ ଓପ୍ନର ରୋହିତ ଶର୍ମା (୧୪) ଓ ଶିଖର ଧୱନ୍ (୧) ଏବଂ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଅମ୍ବାତି ରାୟୁଡୁ (୨) କ୍ରମାଗତ ତୃତୀୟଥର ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ଫଳସ୍ୱରୂପ ସବୁ ଭାର ପୁଣିଥରେ କୋହଲିଙ୍କ ଉପରକୁ ଚାଲିଆସିଥିଲା। କୋହଲି ଆକର୍ଷଣୀୟ ବ୍ୟାଟିଂ କରି କ୍ୟାରିୟରର ୪୧ତମ ଶତକ ହାସଲ କରିଥିଲେ। କିନ୍ତୁ ତାଙ୍କୁ ସାଥୀ ଖେଳାଳିମାନେ ଆବଶ୍ୟକ ମୁତାବକ ସହଯୋଗ କରିନଥିଲେ।