ଆଲିଲେଡ (ଏଟିଆର ବ୍ୟୁରୋ); ଭାରତଠାରୁ ୫୯ ରନ ପଛରେ ରହିଲା ଘରୋଇ ଅଷ୍ଟ୍ରେଲିଆ । ଆଲିଲେଡରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟରେ ଦ୍ୱିତୀୟ ଦିନର ଖେଳ ଶେଷ ସୁନ୍ଧା ଘରୋଇ ଦଳ ୧୯୧ ରନ କରି ୭ଟି ୱିକେଟ ହରାଇଛି । ଦଳ ପକ୍ଷରୁ ମିଚେଲ ଷ୍ଟାର୍କ ଏବଂ ହେଡ ମହଜୁଦ ଅଛନ୍ତି ।ଆସନ୍ତା କାଲି ଏହି ଦୁଇ ଖେଳାଳିଙ୍କ ଠାରୁ ପୁନର୍ବାର ତୃତୀୟ ଦିନର ଖେଳ ଆରମ୍ଭ ହେବ । କଙ୍ଗାରୁ ଦଳର ବ୍ୟାଟ୍ସ ମ୍ୟାନ ମାନେ ଚିତପଟାଙ୍ଗ ମାରିଥିବା ବେଳେ ଏକାକି ଦଳ ପାଇଁ ଲଢ଼ିଚାଲିଛନ୍ତି ହେଡ । ସେ ଅପରାଜିତ ରହି ୧୪୯ ବଲର ସମ୍ମୁଖୀନ ହୋଇ ୬୧ ରନ କରିବାରେ ସକ୍ଷମ ହୋଇଛନ୍ତି ।
ସେପଟେ ଭାରତୀୟ ଦଳ ପକ୍ଷରୁ ଅଶ୍ୱିନୀ ୩ଟି ୱିକେଟ ନେଇଥିବା ବେଳେ ଇଶାନ୍ତ ଏବଂ ବୁମରା ୨ଟି ଲେଖାଏଁ ୱିକେଟ ନେବାରେ ସଫଳ ହୋଇଛନ୍ତି । ଦ୍ୱିତୀୟ ଦିନର ଖେଳ ଶେଷ ହେବା ପରେ ଆଉ ତିନି ଦିନର ଖେଳ ବାକି ରହିଛି । ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ ସମସ୍ତ ୱିକେଟ ହରାଇ ୨୫୦ ରନ ଥିବା ବେଳେ ଏହାକୁ ପିଛା କରିବାକୁ ଯାଇ କଙ୍ଗାରୁ ଦଳ ୧୯୧ ରନ କରି ୭ଟି ୱିକେଟ ହରାଇ ସାରିଲାଣି । ତେବେ ଘରୋଇ ଦଳ ଭାରତଠାରୁ ୫୯ ରନରେ ପଛୁଆ ରହିଛି ।