କଟକ (ଏଟିଆର ବୁରୋ): ଆସନ୍ତା ଡିସେମ୍ବର ୨୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ ଦିନିକିଆ ମ୍ୟାଚ । ଏହି ମ୍ୟାଚର ଟିକେଟ ଡିସେମ୍ବର ୫ତାରିଖରୁ ଅନଲାଇନରେ ଉପଲବ୍ଧ ହେବାକୁ ଥିବା ବେଳେ ୧୯ତାରିଖ ଠାରୁ କାଉଣ୍ଟର ରେ ଟିକେଟ ମିଳିବ । ଏଥର ୪୦ହଜାର ଟିକେଟ ବିକ୍ରି କରିବାର ବ୍ୟବସ୍ଥା କରାଯାଇଛି । ୩ବର୍ଷରୁ ଅଧିକ ବୟସର ପିଲାମାନଙ୍କ ପାଇଁ କରାଯିବ ଟିକେଟ ।
ଟିକେଟ୍ ରେ କଟକ ଡିସିପିଙ୍କ ଦସ୍ତଖତ ରହିବା ନେଇ ସୂଚନା ମିଳିଛି । ଦୁଇ ବର୍ଷ ପରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଦିନିକିଆ ମ୍ୟାଚ୍ । ଷ୍ଟାଡିୟମ ମଧ୍ୟକୁ ଦର୍ଶକମାନେ ଖାଦ୍ୟ ପୁଡ଼ିଆ, ପାଣି ବୋତଲ ଓ ହେଲମେଟ୍ ନେଇପାରିବେ ନାହିଁ । ସୁରକ୍ଷା ମିଟିଂ ପରେ ଆଜି ଏନେଇ ସୂଚନା ଦେଇଛନ୍ତି ଓସିଏ ସଂପାଦକ ସଂଜୟ ବେହେରା। ଅନ୍ୟପଟେ ୧୯ତାରିଖରେ ଭୁବନେଶ୍ୱରରେ ଉଭୟ ଦଳର ଖେଳାଳି ଆସି ପହଞ୍ଚିବା ସହ ସେମାନେ ଭୁବନେଶ୍ୱରର ମେ ଫେୟାରରେ ରହିବାର ବ୍ୟବସ୍ଥା କରାଯାଇଛି । ଏହି ସମୟ ମଧ୍ୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ । ମ୍ୟାଚ୍ ସରିବା ପରେ ଡିସେମ୍ବର ୨୩ ତାରିଖରେ ଖେଳାଳିମାନେ ଫେରିଯିବା ନେଇ ସୂଚନା ରହିଛି ।