ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବୋର୍ଡ ଅଫ୍ କଣ୍ଟ୍ରୋଲ ଫର କ୍ରିକେଟ ଇନ୍ ଇଣ୍ଡିଆ (ବିସିସିଆଇ) ର ବଡ ନିଷ୍ପତି । ଚଳିତ ସିଜିନ୍ ରେ ରଣଜୀ ଟ୍ରଫି ବଦଳରେ ଖେଳାଯିବ ବିଜୟ ହଜାରେ ଟ୍ରଫି । ପ୍ରକୃତରେ ଦେଶରେ ସବୁକିଛି ବଦଳାଇ ଦେଇଛି କରୋନା । ଏପ୍ରିଲ ମାସରେ ଆଇପିଏଲ ର ୧୪ତମ ସିଜିନ୍ ଆୟୋଜନ ହେବ, ଏହାରି ମଧ୍ୟରେ ବିସିସିଆଇ ନିକଟରେ କୌଣସି ଘରୋଇ ଟୁର୍ଣ୍ଣାମେଣ୍ଟର ଆୟୋଜନ ପାଇଁ କେବଳ ଦୁଇ ମାସ ବାକି ରହିଛି । ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ସମସ୍ତ ସଂଘକୁ ବିଜୟ ହଜାରେ ଟ୍ରଫି ଏବଂ ରଣଜୀ ଟ୍ରଫିରୁ କୌଣସି ଗୋଟିଏକୁ କରିବା ପାଇଁ ରାୟ ମାଗିଥିଲା । ଏହାପରେ ବିଭିନ୍ନ ରାଜ୍ୟ କ୍ରିକେଟ ସଂଘ ନିଜ ନିଜ ରାୟ ଦେଇଛନ୍ତି ।
ସେହି ଅନୁଯାୟୀ ଏହି ସିଜିନରେ ବିଜୟ ହଜାରେ ବ୍ୟତିତ ସିନିୟର ମହିଳା ଏକଦିବସୀୟ ଏବଂ ଅନ୍ୟ ଟ୍ରଫିର ଆୟୋଜନ କରାଯିବ । ମାତ୍ର ଏବେ କୌଣସି ଟୁର୍ଣ୍ଣମେଣ୍ଟର ତାରିଖ ଘୋଷଣା କରାଯାଇ ନାହିଁ । କିନ୍ତୁ ଫେବୃଆରୀ ମାସ ଦ୍ୱିତୀୟ ଏବଂ ତୃତୀୟ ସପ୍ତାହରେ ହଜାରେ ଟ୍ରଫି ର ଆରମ୍ଭ ହୋଇପାରେ ବୋଲି ଅନୁମାନ କରାଯାଉଛି ।
ସୂଚନାମୁତାବକ, ଆନ୍ଧ୍ରପ୍ରଦେଶକୁ ବାଦ୍ ଦେଲେ ଅଧିକାଂଶ ରାଜ୍ୟ ସଂଘ ବିଜୟ ହଜାରେ ଟ୍ରଫି ପକ୍ଷରେ ରହିଛନ୍ତି । ଅଧିକାଂଶ ସଂଘ ଛୋଟ ଫର୍ମାଟ ଟୁର୍ଣ୍ଣାମେଣ୍ଟ ଉପରେ ସହମତି ରଖିଛନ୍ତି ।