ଇଣ୍ଡୋର (ଏଟିଆର ବ୍ୟୁରୋ); ଭାରତୀୟ ଟେଷ୍ଟ ଦଳର ନିୟମିତ ଖେଳାଳି ଚେତେଶ୍ୱର ପୂଜାରା ନୂଆ କୀର୍ତ୍ତି ସ୍ଥାପନ କରିଛନ୍ତି । ସେ ପ୍ରଥମ ଥର ପାଇଁ ଫଟାଫଟ କ୍ରିକେଟ ଟି-୨୦ରେ ଶତକ ହାସଲ କରିଛନ୍ତି । ସେ ଜଣେ ଧିମା ଖେଳାଳି ଭାବରେ ବେଶ ପରିଚିତ । ଏଣୁ ସେ ଭାରତୀୟ ଦଳର ଜଣେ ନିୟମିତ ଟେଷ୍ଟ ଖେଳାଳି । ଟେଷ୍ଟ ସ୍ପେଷାଲିଷ୍ଟ କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ଫଟାଫଟ କ୍ରିକେଟରେ ତାଙ୍କର ଶତକ ହାସଲ ପରେ ବେଶ ଚର୍ଚ୍ଚା ହୋଇଛି । ତେବେ ପୂଜାରାଙ୍କ ଧିମା ବ୍ୟାଟିଂ ପାଇଁ କ୍ରିକେଟ ପ୍ରେମୀମାନେ ତାଙ୍କୁ ମହୁତ ସମାଲୋଚନା କରୁଥିଲେ । କିନ୍ତୁ ଏହି ଶତକ ହାସଲ ପରେ ପ୍ରମାଣ ହୋଇ ଗଲାକି ପୂଜାରା ମଧ୍ୟ ବଡ ସଟ ଖେଳିପାରିବେ ।
ସୟଦ ମୁଷ୍ଟାକ ଅଲ୍ଲୀ ସିରିଜରେ ପୂଜାରା ସୌରାଷ୍ଟ୍ର ପକ୍ଷରୁ ଖେଳି ଏହି କିର୍ତ୍ତୀ ଅର୍ଜନ କରିଛନ୍ତି । ସେ ୬୧ଟି ବଲର ସମୁଖୀନ ହୋଇ ୧୦୦ ରନ କରି ଅପରାଜିତ ରହିଥିଲେ । ଏହି ଶତକ ଭିତରେ ୧୪ଟି ସୁନ୍ଦର ଚୌକା ଏବଂ ଗୋଟିଏ ବିଶାଳ ଛକା ରହିଛି । ପ୍ରଥମରୁ ପୂଜାରାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଦେଖି ଦର୍ଶକମାନେ ଘାବରାଇ ଯାଇଥିଲେ । ତେବେ ପୂଜାରା ଏହି ମ୍ୟାଚରେ ଶତକ ହାସଲ କରିଥିଲେ ମଧ୍ୟ ଏହି ମ୍ୟାଚଟି ସୌରାଷ୍ଟ୍ର ପରାସ୍ତ ହୋଇଛି । ପ୍ରଥମେ ବ୍ୟାଟିଂ କରି ୧୮୮ ବିଶାଳ ସ୍କୋର କରିଥିଲେ ସୁଦ୍ଧା ରେଲୱେ ଟିମ ଏହାକୁ ୧୯ ଓଭର ୪ଟି ବଲରେ ପୂରଣ କରି ଦେଇ ବିଜୟ ହାସଲ କରିଛି ।
ପୂଜାରାଙ୍କ ଏହି ଶତକ ପରେ ତାଙ୍କୁ ଯେଉଁମାନେ ଧିମା ଖେଳାଳି କହି ସମାଲୋଚନା କରୁଥିଲେ ସେମାନ୍ତଙ୍କୁ ଶକ୍ତ ଚାପୁଡା ମାରିବା ଭଳି ମନେ ହୋଇଥିବ । ତେବେ ସେ ଯାହାବି ହେଉ ଏହି ଶତକ ପରେ ତାଙ୍କୁ ବିଭିନ୍ନ ଦିଗରୁ ପ୍ରଂଶସାର ସୁଅ ଛୁଟିଛି । ସେପଟେ ଚଳିତ ବର୍ଷ ପୂଜାରା ଧନୀ କ୍ରିକେଟ ଲିଗ ଆଇପିଏଲରେ ଅଲୋଡା ଖେଳାଳି ହୋଇ ଯାଇଛନ୍ତି । ତାଙ୍କର ବେଶ ପ୍ରାଇସ ମାତ୍ର ୫୦ ଲକ୍ଷ ଥିଲେ ମଧ୍ୟ ତାଙ୍କୁ କୌଣସି ଦଳ କିଣିବା ପାଇଁ ଇଛା ବଳାଇନଥିଲେ । ପୂଜାରା ୨୦୧୪ରେ ଆଇପିଏଲ୍ ଖେଳିବା ଆରମ୍ଭ କରିଥିଲେ। ସେ ଆଇପିଏଲରେ ସମୁଦାୟ ୩୦ଟି ମ୍ୟାଚ୍ରେ ୯୯.୭୪ ଷ୍ଟ୍ରାଇକ୍ ରେଟ୍ରେ ୩୯୦ ରନ୍ କରିଥିଲେ।