ବିଶାଖାପାଟଣାମ (ଏଟିଆର ବ୍ୟୁରୋ); ଶୁକ୍ରବାର ଆଇପିଏଲ ଦ୍ୱାଦଶ ସଂସ୍କରଣର ଦ୍ୱିତୀୟ କ୍ୱାଲିଫାଇୟରରେ ଭୋଟାଭେଟି ହେବାକୁ ଯାଉଛନ୍ତି ଦିଲ୍ଲୀ ଏବଂ ଚେନ୍ନାଇ । ତେବେ ଦୀର୍ଘ ୬ବର୍ଷ ପରେ ପ୍ଳେଅଫରେ ସ୍ଥାନ ପାଇଥିବା ଦିଲ୍ଲୀ ଏଥରକ ଫାଇନାଲ ଆଶାରେ ରହିଛି । ଡେୟାର ଡେଭିଲ୍ସ ହଟିବା ପରେ ଦିଲ୍ଲୀ ପ୍ରଥମଥର ଲାଗି ଫାଇନାଲରେ ପ୍ରବେଶ କରିବାର ଆଶା ରଖିଛି । ତେବେ ସାମନାରେ ଚେନ୍ନାଇ ଭଳି ଶକ୍ତିଶାଳୀ ଦଳ ଥିବାରୁ ମ୍ୟାଚଟି ସଘର୍ଷପୂଣ୍ଣ ହେବ ବୋଲି ଅନୁମାନ କରାଯାଉଛି । ଶେଷ ମ୍ୟାଚ ଗୁଡିକ ଦିଲ୍ଲୀ ଲଗାତାର ବିଜୟ ହୋଇଥିବାରୁ ଦଳର ଖେଳାଳିମାନଙ୍କ ମନୋବଳ ଦୃଢ଼ ରହିଛି । ଯାହାକି ଟାଇଟଲ ହାସଲ କରିବା ପାଇଁ ସହାୟକ ହେବ ।
ଚେନ୍ନାଇ ଚଳିତ ସିଜିନରେ ପ୍ରଥମରୁ ବିଜୟ ହୋଇଥିଲେ ସୁଦ୍ଧା ଶେଷ ସମୟରେ ନୈରାଶ୍ୟଜନକ ଖେଳ ପ୍ରଦର୍ଶନ କରିଛି । ଦଳର ଅଧିକାଂଶ ଖେଳାଳିଙ୍କ ଆହତ ସମସ୍ୟା ଦଳକୁ ଚିନ୍ତାରେ ପକାଇଛି । ଧୋନୀ,ଜାଡେଜା ଏବଂ କେଦାର ଯାଦବଙ୍କ ଭଳି ଖେଳାଳି ସିରିଜ ମଝିରେ ଆହତ ହୋଇଥିଲେ । କେଦାର ଯାଦବ ଆହତ ହୋଇଥିବା କାରଣରୁ ସେ ବାକି ମ୍ୟାଚରୁ ବିଦା ହୋଇଛନ୍ତି । ଦଳ ପ୍ରଥମ କ୍ୱାଲିଫାଇୟର ମ୍ୟାଚ ଘରୋଇ ପରିବେଶରେ ଖେଳି ମଧ୍ୟ ପରାଜୟ ବରଣ କରିଛି ।
ଦିଲ୍ଲୀର ଯୁବ ଖେଳାଳିମାନେ ଭଲ ଫର୍ମରେ ଅଛନ୍ତି । ପନ୍ଥ ଏବେ ଦମଦାର ଫର୍ମରେ ଅଛନ୍ତି । ଏଲିମିନେଟର ମ୍ୟାଚରେ ହାଇଦ୍ରାବାଦ ବିପକ୍ଷରେ ଧୂଆଁଧାର ବ୍ୟାଟିଂ ପାଇଁ ଦଳକୁ ଇଙ୍ଗ ସଫଳତା ମିଳିଥିଲା । ତେବେ ପୃଥୀ ଶ,ଅଧିନାୟକ ଶ୍ରେୟସ ଆୟାର ମଧ୍ୟ ଭଲ ଫର୍ମରେ ଅଛନ୍ତି । ଦଳର ବୋଲିଂ ଲାଇନ ମଧ୍ୟ ସୁଦୃଢ଼ ରହିଛି । ରାବାଡାଙ୍କ ପରେ ଏବେ ବୋଲ୍ଟ ବୋଲିଂ ଭାର ସମ୍ଭାଳିଛନ୍ତି ।