ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସବୁବେଳେ ଟ୍ରାକରେ ଚମକୁଥିବା ସୁନା ଝିଅ ଦୂତି ଚାନ୍ଦ ଏବେ ନୂଆ ରେକର୍ଡ ଅପେକ୍ଷାରେ ଅଛନ୍ତି । ଓଡିଶାର ଗର୍ବ ଏବଂ ଗୌରବକୁ ସାରା ବିଶ୍ୱରେ ପ୍ରକଟ କରୁଛନ୍ତି ଦୂତି । ତେବେ ସେ ଇଟାଲିର ନେପାଲିରେ ଚାଲିଥିବା ୩୦ତମ ବିଶ୍ୱବିଦ୍ୟାଳୟ କ୍ରିଡାରେ ୧୦୦ ମିଟରରେ ସ୍ୱର୍ଣ୍ଣ ହାସଲ କରିସାରିଛନ୍ତି । ଏବେ ସେ ଆଉ ଏକ ପଦକଠାରୁ ମାତ୍ର ଗୋଟିଏ ପାଦ ଦୂରରେ ରହିଛନ୍ତି । ୨୦୦ ମିଟରରେ ଦୂତି ଏବେ ସେମିଫାଇନାଲରେ ପ୍ରବେଶ କରିଛନ୍ତି ।
ଦୂତି ଯଦି ୨୦୦ ମିଟରରେ ସ୍ୱର୍ଣ୍ଣ ପଦକ ପାଇବେ ତେବେ ସେ ପ୍ରଥମ ଭାରତୀୟ ଖେଳାଳି ଭାବରେ ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ କରିବେ । ପୂର୍ବରୁ ଅନ୍ୟ କୌଣସି ଭାରତୀୟ ଖେଳାଳି ଦୁଇଟି ସ୍ୱର୍ଣ୍ଣ ପଦକ ପାଇନାହାଁନ୍ତି । ତେବେ ଦୂତିଙ୍କ ନୂଆ ଏବଂ ବିରଳ ରେକର୍ଡ ପାଇଁ ସମସ୍ତେ ଚାହିଁ ବସିଛନ୍ତି । ଆଜି ସେମିଫାଇନାଲ ଏବଂ ଫାଇନାଲ ହେବ ବୋଲି ସୂଚନା ମିଳିଛି ।
ନେପାଲିରେ ଚାଲିଥିବା ଏହି ପ୍ରତିଯୋଗିତାରେ ଦୂତି ଜଣେ ମାତ୍ର ଓଡିଆ ଭାବରେ ଭାଗ ନେଇଛନ୍ତି । ଯାହାକି ଆମ ଓଡିଶା ପାଇଁ ଗର୍ବ ଏବଂ ଗୌରବର କଥା । ତେବେ ସେ ୧୦୦ ମିଟରରେ ସ୍ୱର୍ଣ୍ଣ ଜିତିବା ପରେ ସମସ୍ତେ ତାଙ୍କୁ ଶୁଭେଛା ଜଣାଇଥିଲେ । ମୁଖ୍ୟମନ୍ତ୍ରୀ,ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ସମସ୍ତେ ତାଙ୍କୁ ଶୁଭେଛା ଜଣାଇଥିଲେ । ଭାରତୀୟ ଆଥଲେଟିକ୍ ପାଇଁ ଏହା ଗୌରବର ବିଷୟ ବୋଲି ପ୍ରଧାନମନ୍ତ୍ରୀ ଟ୍ବିଟର ପ୍ରକାଶ କରିଛନ୍ତି।