ଲଣ୍ଡନ (ଏଟିଆର ବ୍ୟୁରୋ); ଚଳିତ ବିଶ୍ୱକପରେ ଭାରତର ଅପରାଜୟ ଧାରାରେ ବ୍ରେକ ଲଗାଇଛି ଇଂଲଣ୍ଡ । ଗତକାଲି ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ୩୧ରନରେ ହରାଇଛି ଇଂଲଣ୍ଡ । ତା’ ସହ ନିଜ ସେମିଫାନାଲ୍ ଆଶା ଉଜ୍ଜୀବିତ ରଖିଛି। ସେପଟେ ଭାରତର ବିଜୟ ଧାରା ଅଟକି ଯାଇଛି। ରୋହିତ ଶର୍ମାଙ୍କ ଲଢ଼ୁଆ ଶତକ(୧୦୨) ସତ୍ତ୍ବେ ଚଳିତ ବିଶ୍ବକପ୍ରେ ଭାରତ ପ୍ରଥମ ପରାଜୟ ବରଣ କରିଛି। ୩୩୮ ରନ୍ର ବଡ଼ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତ ପୂରା ପାଳି ଖେଳିଲେ ମଧ୍ୟ ୫ ୱିକେଟ୍ ହରାଇ ୩୦୬ ରନ୍ରେ ସୀମିତ ରହିଛି।
ଆଜି ମ୍ୟାଚରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୩୩୮ ରନ୍ କରିଛି। ଇଂଲଣ୍ଡ ପକ୍ଷରୁ ବେୟାରଷ୍ଟୋ ସର୍ବାଧିକ ୧୧୧ (୧୦୯ ବଲ୍, ୧୦ ଚୌକା, ୬ ଛକା) ରନ୍ କରିଥିଲେ। ଶେଷଭାଗରେ ଷ୍ଟୋକ୍ସ ୫୪ ବଲରେ ୬ ଚୌକା ଓ ୩ ଛକା ସହ ଦ୍ରୁତ ୭୯ ରନ୍ କରିଥିଲେ।ଭାରତ ଏହି ସ୍କୋରକୁ ପିଛା କରିବାକୁ ଯାଇ ୩୦୬ରେ ଅଟକିଥିଲା ।
ପରାଜୟ ସତ୍ତ୍ୱେ ଭାରତ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ସୁରକ୍ଷିତ ରହିଛି। ଅପରପକ୍ଷରେ ଏହି ପରାଜୟ ପାକିସ୍ତାନ ଓ ବାଂଲଦେଶକୁ ନିରାଶ କରିଛି। କାରଣ ଭାରତ ମ୍ୟାଚ୍ ଜିତିଥିଲେ, ପାକିସ୍ତାନ ଓ ବାଂଲାଦେଶର ସେମିଫାଇନାଲ୍ ଆଶା ବଳବତ୍ତର ରହିଥାନ୍ତା। କିନ୍ତୁ ଏବେ ପାକିସ୍ତାନକୁ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ମ୍ୟାଚର ଫଳାଫଳକୁ ଅପେକ୍ଷା କରିବାକୁ ପଡ଼ିବ।