ହାଇଦ୍ରାବାଦ (ଏଟିଆର ବ୍ୟୁରୋ ) ; ପଡିଆ ଭିତରେ ସେଲ୍ଫି । ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସହ ସେଲ୍ଫି ନେବାପାଇଁ ସୁରକ୍ଷା ବଳୟକୁ ମାତ ଦେଇ ପଡିଆ ମଧ୍ୟକୁ ଚାଲିଗଲେ ଜଣେ ଯୁବକ । ଏଭଳି ଘଟଣା ଇଣ୍ଡିଆ – ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚରେ ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ , ହାଇଦ୍ରାବାଦର ରାଜୀବ ଗାନ୍ଧି ଆନ୍ତର୍ଜାତୀୟ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଏଭଳି କିଛି ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । ୱେଷ୍ଟଇଣ୍ଡିଜ୍ ଦଳ ବ୍ୟାଟିଂ କରୁଥିବା ସମୟରେ ହଠାତ ଜଣେ ଯୁବକ ସୁରକ୍ଷା କର୍ମୀଙ୍କୁ ଚକମା ଦେଇ ପଡିଆ ମଧ୍ୟକୁ ଦୌଡି ଆସିଥିଲେ । ନିଜ ମନ ପସନ୍ଦର ଖେଳାଳୀ ବିରାଟ କୋହଲିଙ୍କ ଆଡକୁ କ୍ଷୀପ୍ର ଗତିରେ ଦୌଡିଥିଲେ ସେହି ଯୁବକ ।
ପାଖାପାଖି ୭୦ ମିଟର ଅତିକ୍ରମ କରି ବିରାଟଙ୍କ ପାଖରେ ପହଞ୍ଚିଥିଲେ ଯୁବକ ଜଣକ । ପଢିଆ ମଧ୍ୟରେ କୋହଲିଙ୍କ ସହ ସେଲ୍ଫି ନେବା ପରେ ପରେ ଅତିଭାବବିହ୍ୱଳ ହୋଇ ବିରାଟଙ୍କୁ ଯୁବକ ଜଣକ କୁଣ୍ଢାଇ ପକାଇଥିଲେ । ଏହାପରେ ପଢିଆ ମଧ୍ୟରେ ସୁରକ୍ଷା କର୍ମୀ ପହଞ୍ଚି ଯୁବକଙ୍କୁ କାବୁ କରି ପଡିଆ ବାହାରକୁ ନେଇଯାଇଥିଲେ । ତେବେ ଏଭଳି ଦୃଶ୍ୟକୁ ଷ୍ଟାଡିୟମରେ ଥିବା ସମସ୍ତ ଦର୍ଶକ ମନଭରି ଉପଭୋଗ କରିଥିଲେ ।
ପଢିଆ ଭିତରକୁ ଯାଇ ପସନ୍ଦର ଖେଳାଳି ପାଖକୁ ଯିବା କିଛି ନୂଆ କଥା ନୁହେଁ । ପୁର୍ବରୁ ମଧ୍ୟ ବହୁବାର ଏପରି ଘଟିଛି । ନିକଟରେ ରାଜକୋଟରେ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ବି ଅନୁରୁପ ଭାବେ ଦୁଇଜଣ ଯୁବକ ପଡିଆ ମଧ୍ୟକୁ ପଶିଯାଇଥିଲେ । ସେମାନେ ମଧ୍ୟ ବିରାଟ କୋହଲିଙ୍କ ସହ ସେଲ୍ଫି ନେଇଥିଲେ ।