ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଶେଷ ଦିନିକିଆରେ ୨୭୨ରେ ରହିଲା ଅଷ୍ଟ୍ରେଲିଆ । ନିର୍ଣ୍ଣାୟକ ମ୍ୟାଚରେ ଭାରତ ଆଗରେ ନିର୍ଦ୍ଧାରିତ ଓଭର ମଧ୍ୟରେ ୨୭୩ ରନର ବିଜୟ ଲକ୍ଷ୍ୟ ରହିଛି । ତେବେ ବିଶ୍ୱକପ ପୂର୍ବରୁ ଶେଷ ସିରିଜ ହୋଇଥିବାରୁ ଉଭୟ ଦଳ ସିରିଜ କବଜା କରିବା ପାଇଁ ଚେଷ୍ଟା କରିବେ । ଭ୍ରମଣକାରୀ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର ମଧ୍ୟରେ ୯ଟି ୱିକେଟ ହରାଇ ୨୭୨ ରନ କରି ପାରିଛି । ଦଳ ପକ୍ଷରୁ ଉସମାନ ଖାୱାଜା ସର୍ବାଧିକ ୧୦୦ ରନ କରିବାରେ ସଫଳ ହୋଇଛନ୍ତି । ଅଷ୍ଟ୍ରେଲିଆର ପ୍ରାରମ୍ଭିକ ଖେଳାଳିମାନେ ପ୍ରଥମରୁ ଯେଭଳି ଖେଳ ପ୍ରଦର୍ଶନ କରି ପଡିଆରେ ତିଷ୍ଟି ରହିଥିଲେ ଆଜି ଏକ ବିଶାଳ ସ୍କୋର ହେବ ବୋଲି କ୍ରିକେଟ ପ୍ରେମୀମାନେ ଆଶା ରଖିଥିଲେ । କିନ୍ତୁ ବୋଲିଂରେ ସୁଧାର ଆଣି ଭାରତୀୟ ବୋଲରମାନେ ବିଶାଳ ସ୍କୋରରେ ବ୍ରେକ ଲଗାଇଥିଲେ ।
ଭାରତୀୟ ବୋଲର ଭୁବନେଶ୍ୱର କୁମାରଙ୍କୁ ୩ଟି ଓ୍ଵିକେଟ୍ ମିଳିଛି। ସେହିପରି ମହମ୍ମଦ ସାମି ଓ ରବୀନ୍ଦ୍ର ଜାଦେଜାଙ୍କୁ ୨-୨ ଓ୍ଵିକେଟ୍ ମିଳିଥିବା ବେଳେ କୁଲଦୀପ ଯାଦବ ନେଇଛନ୍ତି ଗୋଟିଏ ଓ୍ଵିକେଟ୍।ପ୍ରଥମ ୨ଟି ଓ୍ଵିକେଟରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ଆଧିପତ୍ୟ ଜାରି ରଖିଥିଲା। ପ୍ରଥମ ଓ୍ଵିକେଟ୍ରେ ୭୬ ରନ୍ ସଂଗ୍ରହ କରିଥିବା ବେଳେ ଭାରତର ପ୍ରଥମ ଶିକାର ହୋଇଥିଲେ ଅଧିନାୟକ ଆରୋନ୍ ଫିଞ୍ଚ। ସେ ରବୀନ୍ଦ୍ର ଜାଦେଜାଙ୍କର ଶିକାର ହୋଇଥିଲେ। ଦ୍ୱିତୀୟ ଓ୍ଵିକେଟ୍ରେ କଙ୍ଗାରୁ ଦଳ ୯୯ ରନ୍ ଯୋଡ଼ିଲା ପରେ ଉସ୍ମାନ ଖାଓ୍ଵାଜା ବୋଲର ଭୁବନେଶ୍ୱର କୁମାରଙ୍କ ବଲ୍ ଅଧିନାୟକ ବିରାଟ କୋହଲିଙ୍କୁ କ୍ୟାଚ୍ ଦେଇଥିଲେ।
ମୋହାଲିରେ ମ୍ୟାଚ୍ ବିଜୟୀ ଇନିଂସ୍ ଖେଳିଥିବା ଅଷ୍ଟନ ଟର୍ଣ୍ଣର (୨୦) ଓ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍ (୨୦) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ତେବେ ଶେଷଭାଗରେ ଝାଇ ରିଚାର୍ଡସନ (୨୯) ଓ ପ୍ୟାଟ୍ କମିନ୍ସ (୧୫) ଦ୍ରୁତ ରନ୍ ସଂଗ୍ରହ କରି ଭ୍ରମଣକାରୀ ଦଳକୁ ୨୭୨ ରନରେ ପହଞ୍ଚାଇଥିଲେ। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ୩ଟି, ମହମ୍ମଦ ସାମି ଓ ରବୀନ୍ଦ୍ର ଜାଡେଜା ୨ଟି ଲେଖାଏ ୱିକେଟ ନେଇଥିଲେ।