ଲଣ୍ଡନ (ଏଟିଆର ବ୍ୟୁରୋ); ଗତକାଲି ବିଶ୍ୱକପରେ ଖେଳାଯାଇଥିବା ସେମିଫାଇନାଲରେ ଭାରତ ନୈରାଶ୍ୟଜନକ ଖେଳ ସମସ୍ତ କ୍ରିକେଟ ପ୍ରେମୀଙ୍କ ମନ ଉଣା କରି ଦେଇଛି । ଯେଉଁ ଆଶା ଏବଂ ବିଶ୍ୱାସ ଥିଲା ସବୁକିଛି ମାଟିରେ ମିଶିଯାଇଛି । ଏତେ ଖରାପ ପ୍ରଦର୍ଶନ କରିବେ ବୋଲି କେହି କେବେ ଭାବିନଥିଲେ । ତେବେ ଭାରତର ଏହି ନୈରାଶ୍ୟ ଜନକ ଖେଳ ପରେ କେତେକ କ୍ରିକେଟ ପ୍ରେମୀ କହୁଛନ୍ତି ରିଜର୍ଭ ଡେ ଖେଳ ସବୁକିଛି ବଦଳାଇ ଦେଇଛି । ଏମିତିକି ଟିମ ଇଣ୍ଡିଆ ଫିକ୍ସିଂ କରିଥିବା କଥା ମଧ୍ୟ କହୁଛନ୍ତିି ।
ଲିଗ ପର୍ଯ୍ୟାୟରେ ଏତେ ଭଲ ଖେଳ ଖେଳୁଥିବା ବ୍ୟାଟ୍ସମ୍ୟାନମାନେ ଶେଷରେ ଧୋକା ଦେବାକୁ ସହଜରେ କ୍ରିକେଟପ୍ରେମୀମାନେ ବିଶ୍ୱାସ କରିପାରୁନାହାଁନ୍ତି । ୧୩୩ କୋଟିରୁ ଊର୍ଧ୍ବ ଭାରତୀୟଙ୍କ ଶୁଭେଚ୍ଛା ନେଇ ଇଂଲଣ୍ଡ ଯାଇଥିବା ବିରାଟ କୋହଲିଙ୍କ ବିଶ୍ବକପ୍ ଅଭିଯାନ ସେମିଫାଇନାଲରେ ସୀମିତ ରହିଯାଇଛି। ବର୍ଷା ଯୋଗୁଁ ଦୁଇ ଦିନ ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ନିକଟରୁ ୧୮ ରନ୍ରେ ହାରି ଅଶ୍ରୁଳ ବିଦାୟ ନେଇଛି ଭାରତ। ୨୦୧୧ରେ ବିଜେତା ହେବା ପରେ ଭାରତ ପରବର୍ତୀ ଦୁଇ ସଂସ୍କରଣରେ ମଧ୍ୟ ସମାନ ସୀମାରେ ଝୁଣ୍ଟିଛି। ଲିଗ୍ ପର୍ଯ୍ୟାୟରେ ଚମତ୍କାର ଖେଳିଥିବା ଭାରତ କିନ୍ତୁ ସେମିଫାଇନାଲରେ ନୈରାଶ୍ୟଜନକ ପ୍ରଦର୍ଶନ କରିବା କ୍ରିକେଟ୍ ପ୍ରେମୀଙ୍କୁ ଦୁଃଖରେ ବୁଡ଼ାଇ ଦେଇଛି।
ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଏଥିନେଇ ଖୋଲାଖୋଲି ଅସନ୍ତୋଷ ଜାହିର କରିଥିଲେ। ଦୀନେଶ କାର୍ତିକ ପଞ୍ଚମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିବା ନେଇ ଗାଙ୍ଗୁଲି ବିସ୍ମୟ ପ୍ରକଟ କରିଥିଲେ। ଭାରତ ୫ ରନ୍ରେ ୩ ୱିକେଟ୍ ହରାଇବା ପରେ ଧୋନି ଚତୁର୍ଥ ସ୍ଥାନରେ ଖେଳିବା ଉଚିତ୍ ହୋଇ ଥାଆନ୍ତା ବୋଲି ସେ କହିଥିଲେ। ୧୦ ହଜାରରୁ ଅଧିକ ରନ୍ କରିଥିବା ଧୋନିଙ୍କ ଆଗରୁ କାର୍ତିକ ବ୍ୟାଟିଂ ପାଇଁ ଆସିବା ଏକ ମସ୍ତବଡ଼ ଭୁଲ ଥିଲା ବୋଲି ସେ କହିଛନ୍ତି।