ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ଟିମ ଇଣ୍ଡିଆର ସ୍ୱପ୍ନ ହେଲା ଧୂଳିସାତ । ଟି – ୨୦ ବିଶ୍ୱକପର ସେମିଫାଇନାଲ ମ୍ୟାଚ ହାରିଲା ଭାରତୀୟ ମହିଳା କ୍ରିକେଟ ଦଳ । ଫଳରେ ଭାରତୀୟ ଦଳର ବିଶ୍ୱକପ ଫାଇନାଲ ମ୍ୟାଚ ଖେଳିବା ଆଶା ଏବେ ଆଶାରେ ରହିଯାଇଛି । ଦୀର୍ଘ ୮ ବର୍ଷ ପରେ ଭାରତୀୟ ମହିଳା ଦଳ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିଥିବା ବେଳେ ଫାଇନାଲ ପାଇଁ ଆଉ ମାତ୍ର ଗୋଟିଏ ପାହାଚ ବାକି ରହିଯାଇଛି ।
ଆଣ୍ଟିଗୁଆ ଠାରେ ଖେଳାଯାଉଥିବା ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ଭାରତ ଶକ୍ତିଶାଳୀ ଇଂଲଣ୍ଡ କୁ ଭେଟିଥିଲା । ଟସ ଜିତି ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲେ ହେଁ ଦଳ ସେତେଟା ସୁଦୃଢ ରନ ସ୍କୋର କରିପାରିନଥିଲା । ଭାରତ ମୋଟ ୧୯ .୩ ଟି ବଲ ଖେଳି ୧୧୨ ରନ କରି ଅଲଆଉଟ ହୋଇଯାଇଥିଲା । ପ୍ରାରମ୍ଭରୁ ଭାରତୀୟ ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିପାରିଥିଲେ ହେଁ ପରବର୍ତ୍ତି ସମୟରେ ଲାଗାଦାର ୱିକେଟର ପତନ ଘଟିଥିଲା । ତେବେ ଜବାବରେ ଇଂଲଣ୍ଡ ଦଳ ୮ ୱିକେଟରେ ମ୍ୟାଚଟିକୁ ଜିତି ନେଇଥିଲା । ପୂର୍ବରୁ ପ୍ରଥମ ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ୱେଷ୍ଟଇଣ୍ଡିଜ କୁ ହରାଇ ଫାଇନାଲରେ ନିଜ ସ୍ଥାନ ପକ୍କା କରିସାରିଛି ।
ସେପଟେ ଭାରତୀୟ ମହିଳା ଦଳ ଲିଗ ପର୍ଯ୍ୟାୟରେ ଅପରାଜେୟ ରହିଥିଲା । ଭାରତ ନିଜ ବିପକ୍ଷରେ ନ୍ୟୁଜିଲାଣ୍ଡ , ପାକିସ୍ତାନ , ଆର୍ୟାଲାଣ୍ଡ ଓ ଅଷ୍ଟ୍ରେଲିଆକୁ ହରାଇ ଗୃଫର ଶୀର୍ଷରେ ରହିଥିଲା । ତେବେ ପୂରା ଟୁର୍ଣ୍ଣାମେଣ୍ଟରେ ଭାରତୀୟ ମହିଳା ଦଳ ଶ୍ରେଷ୍ଠ ପ୍ରଦର୍ଶନ କରିଛି । ଭାରତୀୟ ମହିଳା ଦଳରେ ଥିବା ବହୁ ଯୁବ ଖେଳାଳି ବିଶ୍ୱକପ ଭଳି ବଡ ଟୁର୍ଣ୍ଣାମେଣ୍ଟରୁ ଅନୁଭୁତି ପାଇଛନ୍ତି । ଅନ୍ୟପଟେ ବିଶ୍ୱକପର ଫାଇନାଲ ମୁକାବିଲାରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ କଡା ଟକ୍କର ହେବ ବୋଲି ଅନୁମାନ କରାଯାଉଛି ।