ହାଇଦ୍ରାବାଦ (ଏଟିଆର ବ୍ୟୁରୋ); ଟି-୨୦ର ବଦଲା ଦିନିକିଆରେ ନେଲା ଭାରତ । କେଦାର ଯାଦବ ଓ ମହେନ୍ଦ୍ର ସିଂହ ଧୋନିଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ଟିମ୍ ଇଣ୍ଡିଆ ଏଠାରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରି ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି ।ଶନିବାରର ଏହି ଲୋ ସ୍କୋରିଂ ମୁକାବିଲାରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୫୦ ଓଭରରେ ୭ ୱିକେଟ୍ ବିନିମୟରେ ୨୩୬ ରନ୍ କରିଥିଲା। ଏହାର ଜବାବରେ ଭାରତ ୪୮.୨ ଓଭରରେ ୪ ୱିକେଟ୍ ବିନିମୟରେ ୨୪୦ ରନ୍ କରି ବିଜୟର ମିଠା ସ୍ବାଦ ଚାଖିଥିଲା। ୨୩୭ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଭାରତକୁ ଆରମ୍ଭରୁ ଶକ୍ତ ଧକ୍କା ଲାଗିଥିଲା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ (୦) ଦ୍ବିତୀୟ ଓଭରର ପ୍ରଥମ ବଲ୍ରେ ହିଁ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ଏହା ପରେ ଅନ୍ୟତମ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା (୩୭) ଓ ଅଧିନାୟକ ବିରାଟ କୋହଲି (୪୪) ଭାରତ ପାଳିକୁ ଧିରେ ଧିରେ ଆଗେଇ ନେଇଥିଲେ।
ଉଭୟ ଦ୍ବିତୀୟ ୱିକେଟ୍ରେ ୭୬ ରନ୍ ଯୋଡ଼ିଥିଲେ। ଏହି ଦୁଇ ଜଣଙ୍କ ସହ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଅମ୍ବାତି ରାୟୁଡୁ (୧୩) ମାତ୍ର ୧୯ ରନ୍ ଭିତରେ ପ୍ୟାଭିଲିୟନ ଫେରିଯିବା ପରେ କିନ୍ତୁ ଚାପ ବଢ଼ିବା ଆରମ୍ଭ ହୋଇ ଯାଇଥିଲା। ତେବେ ଅଭିଜ୍ଞ ମହେନ୍ଦ୍ର ସିଂହ ଧୋନି (୫୯ଞ୍ଚ ରନ୍, ୭୨ ବଲ୍, ୬ ଚୌକା, ୧ ଛକା) ଓ ଅଲରାଉଣ୍ଡର କେଦାର ଯାଦବ (୮୧ଞ୍ଚ ରନ୍, ୮୭ ବଲ୍, ୯ ଚୌକା, ୧ ଛକା) ଅବିଭାଜିତ ପଞ୍ଚମ ୱିକେଟ୍ରେ ୧୪୧ ରନ୍ ସଂଗ୍ରହ କରି ଭାରତ ବିଜୟକୁ ସୁନିଶ୍ଚିତ କରିଥିଲେ। ଧୋନି ଏହି ଅବସରରେ ୭୧ତମ ଏବଂ କେଦାର ପଞ୍ଚମ ଅର୍ଧଶତକ ହାସଲ କରିଥିଲେ। ମାର୍କ ଷ୍ଟୋଇନିସଙ୍କ ୪୯ତମ ଓଭରର ପ୍ରଥମ ଓ ଦ୍ବିତୀୟ ବଲ୍କୁ ଲଗାତାର ଚୌକା ମାରି ଧୋନି ଆଶାଜନକ ଭାବେ ଭାରତ ବିଜୟରେ ମୁଣ୍ଡି ପାରିଥିଲେ।