ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ବିଶ୍ୱକପ ସେମିଫାଇନାଲରେ ଭାରତର ଶୋଚନୀୟ ପରାଜୟ ହେବା ପରେ ଭାରତୀୟ ଦଳର କୋଚ ଏବଂ ମ୍ୟାନେଜମେଣ୍ଟ ବଦଳିବା ପାଇଁ ଗତକାଲି ବିସିସିଆଇ ଘୋଷଣା କରିଛି । ଆଗ୍ରହୀ ପ୍ରାର୍ଥୀମାନେ ଆସନ୍ତା ଜୁଲାଇ ୩୦ ତାରିଖ ସୁଦ୍ଧା ଆବେଦନ କରିପାରିବେ । ତେବେ ବିସିସିଆଇ ଚୟନକର୍ତ୍ତା ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ମଧ୍ୟ ପରିବର୍ତ୍ତନ କରାଯିବା ପାଇଁ ଘୋଷଣା କରିଥିଲେ । ତେବେ ଏହି କୋଚ ଏବଂ ଅନ୍ୟ ପଦବୀ ପାଇଁ ପ୍ରାର୍ଥୀ ଚୟନ କରିବା ପାଇଁ ୩ଜଣିଆ ଟିମ ଗଠନ କରାଯାଇଛି ।
ଏହି ତିନି ଜଣିଆ ଟିମରେ ଅଛନ୍ତି ଭାରତକୁ ପ୍ରଥମ ବିଶ୍ୱକପ ଉପହାର ଦେଇଥିବା କିମ୍ବଦନ୍ତୀ କ୍ରିକେଟର ଅଧିନାୟକ କପିଲ ଦେବ । ପୂର୍ବତନ ଓପନର ଅଂଶୁମାନ ଗାଓକ୍ୱାର୍ଡ ଓ ପୂର୍ବତନ ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ଶାନ୍ତା ରଙ୍ଗାସ୍ୱାମୀ ସଦସ୍ୟ ରହିଛନ୍ତି । ଭାରତୀୟ ଦଳର ମୁଖ୍ୟ କୋଚ ଓ ଅନ୍ୟ ସହାୟକ କୋଚିଂ କର୍ମଚାରୀମାନଙ୍କ ପାଇଁ ଗତ କାଲି ବିସିସିଆଇ ଆବେଦନ ଆହ୍ଵାନ କରିବା ପରେ ଆଜି ଏହି ଚୟନ ପ୍ରକ୍ରିୟା ପାଇଁ ଏକ ୩ ଜଣିଆ କମିଟି ଗଠନ କରାଯାଇଛି ।
ବର୍ତ୍ତମାନର ସପୋର୍ଟିଂ ଷ୍ଟାଫ ମୁଖ୍ୟ କୋଚ ରବି ଶାସ୍ତ୍ରୀ, ବୋଲିଂ କୋଚ ଭାରତ ଅରୁଣ, ବ୍ୟାଟିଂ କୋଚ ସଂଜୟ ବାଙ୍ଗର, ଫିଲଡିଂ କୋଚ ଆର ଶ୍ରୀଧର ସିଧାସଳଖ ଏହି ନିଯୁକ୍ତି ପ୍ରକ୍ରିୟାରେ ପ୍ରାର୍ଥୀଭାବେ ଅଂଶଗ୍ରହଣ କରିପାରିବେ । ଅନ୍ୟପକ୍ଷରେ କେବଳ କୋଚିଂ ଷ୍ଟାଫ ନୁହେଁ, ଚୟନକର୍ତ୍ତା କମିଟିକୁ ମଧ୍ୟ ବଦଳାଇବାକୁ ବିସିସିଆଇର ପ୍ରଶାସନିକ କମିଟି ନିଷ୍ପତ୍ତି ନେଇଛି ।