ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଭାରତୀୟ ଦଳର ପୂର୍ବତନ ଅଧିନାୟକ ଧୋନୀଙ୍କୁ ପ୍ରଂଶସାରେ ପୋତି ପକାଇଛନ୍ତି ନିୟମିତ ଦଳର ଅଧିନାୟକ ବିରାଟ କୋହଲି । ଶୁକ୍ରବାର ଗଣମାଧ୍ୟମକୁ ସୂଚନା ଦେଇ ବିରାଟ କହିଛନ୍ତି କି ଧୋନୀଙ୍କ ଭଳି ଅଭିଜ୍ଞ ଖେଳାଳି ବିଶ୍ୱକପରେ ଆମ ସହ ସାମିଲ ହୋଇଥିବାରୁ ଆମେ ବହୁତ ଗର୍ବିତ । ଧୋନିଙ୍କ ଭଳି ୱିକେଟରକ୍ଷକ ଭାରତ ପାଇଥିବାରୁ ଭାରତ ଭାଗ୍ୟବାନ । ସଂକଟ ସମୟରେ ଧୋନୀଙ୍କ ଉପଦେଶ ଦଳ ପାଇଁ ସବୁବେଳେ ସହାୟକ ହୋଇଥାଏ । ଯାହାକି ଆଗାମି ବିଶ୍ୱକପରେ ଭାରତ ଏହାକୁ ମୁଖ୍ୟ ଅସ୍ତ୍ର କରିବ ବୋଲି କହିଛନ୍ତି କୋହଲି ।
ଧୋନୀ ୩୮ ବର୍ଷରେ ପଦାର୍ପଣ କରିଥିଲେ ସୁଦ୍ଧା ସେ ଶାରୀରିକ ଏବଂ ମାନସିକ ଭାବରେ ସୁସ୍ଥ ଅଛନ୍ତି । ଚଳିତ ବର୍ଷ ଖେଳିଥିବା ଆନ୍ତର୍ଜାତିକ ମ୍ୟାଚ ଗୁଡିକରେ ସେ ମଧ୍ୟ ଭଲ ଖେଳ ପ୍ରଦର୍ଶନ କରିଛନ୍ତି । ସେ ଚଳିତ ବର୍ଷ ୯ଟି ଆନ୍ତର୍ଜାତିକ ମ୍ୟାଚ ଖେଳି ୪ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଅପରପକ୍ଷରେ ଘରୋଇ ପରିବେଶରେ ଚାଲିଥିବା ଆଇପିଏଲରେ ମଧ୍ୟ ଭଲ ଖେଳ ପ୍ରଦର୍ଶନ କରି ଚେନ୍ନାଇକୁ ପଏଣ୍ଟ ଟେବୁଲରେ ଟପରେ ରଖିଛନ୍ତି । ଶେଷ ମ୍ୟାଚରେ ଧୋନୀଙ୍କ ଅନୁପସ୍ଥିତି ଦଳକୁ ପରାଜୟର ପଥ ଦେଖାଇଥିଲା । ଏଣୁ ଧୋନୀଙ୍କ ଅଭିଜ୍ଞତା ଭାରତୀୟ ଦଳକୁ ବିଶ୍ୱକପରେ ମୁଖ୍ୟ ସହାୟକ ହେବ ।
ବିଶ୍ୱକପ ବିଜୟି ଦୌଡରେ ଭାରତ ସବୁଠାରୁ ଆଗରେ ଦାବିଦାର ଅଛି ବୋଲି କ୍ରିକେଟ ବିଷଶଷଜ୍ଞମାନେ ମତ ଦେଇଛନ୍ତି । ତେବେ ଧୋନୀ ପୂର୍ବରୁ ଅବସର ଘୋଷଣା କରିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ପରେ ଦଳରେ ସାମିଲ ହେବା ପରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଥିଲା । ୨୦୧୧ ବିଶ୍ୱକପ ଧୋନିଙ୍କ ଅଧିନାୟକତ୍ୱରେ ଭାରତ ଜିତିଥିଲା ।