ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ବିଶ୍ୱ ରେକର୍ଡ କଲେ ବିରାଟ କୋହଲି । ନିଜକୁ ଦିନିକିଆ କ୍ରିକେଟର ୧୦ ହଜାର ରନ କ୍ଲବରେ ସାମିଲ କରାଇଛନ୍ତି କୋହଲି ।ଏଭଳି କୃତିତ୍ୱ ସେ ଭାରତ ଓ ଇଣ୍ଡିଜ ମଧ୍ୟରେ ଖେଳା ଯାଉଥିବା ଦ୍ୱିତୀୟ ଦିନିକିଆ ମ୍ୟାଚରେ ହାସଲ କରିପାରିଛନ୍ତି । ପୂର୍ବରୁ ଇଣ୍ଡିଜ ବିପକ୍ଷ ପ୍ରଥମ ମ୍ୟାଚରେ ସେ ଧୁଆଁଧାର ଶତକ ହାସଲ କରିଥିଲେ । ତେବେ ୧୦ ହଜାର ରନ କ୍ଲବରେ ସାମିଲ ହେବାକୁ କୋହଲିଙ୍କୁ ଆଉ ୮୧ ରନର ଆବଶ୍ୟକତା ରହିଥିଲା । ଯାହାକୁ ସେ ଆଜି ଇଣ୍ଡିଜ ବିପକ୍ଷରେ ୯୧ ବଲ ଖେଳି ହାସଲ କରିନେଇଛନ୍ତି ।
ଏହି ବିଶ୍ୱ ରେକର୍ଡ ହାସଲ ପରେ କିମ୍ବଦନ୍ତୀ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କ ସହ ସମକକ୍ଷ ହୋଇଛନ୍ତି ବିରାଟ । କିନ୍ତୁ ସବୁଠାରୁ ବଡ କଥା ହେଉଛି କି ବିରାଟ ସବୁଠୁ କମ ଇଂନିସ ଖେଳି ଏହି ରନକୁ ହାସଲ କରିପାରିଛନ୍ତି । ପୂର୍ବରୁ ସଚିନ ତେନ୍ଦୁଲକରଙ୍କ ନାମରେ ଏହି ରେକର୍ଡ ରହିଥିବା ବେଳେ ସଚିନ ୨୫୯ ଟି ଇଂନିସ ଖେଳି ୧୦ ହଜାର ରନ କରିପାରିଥିଲେ । କିନ୍ତୁ ବିରାଟ କୋହଲି ସଚିନଙ୍କ ଠାରୁ ୫୪ ଟି ଇଂନିସ ପୂର୍ବରୁ ଏହି ରେକର୍ଡ ହାସଲ କରିନେଇଛନ୍ତି ।
ବିରାଟ ୧୦ ହଜାର ରନ କରିବା ଲାଗି ୨୦୫ ଟି ଇଂନିସ ଖେଳିଛନ୍ତି । ବିଶ୍ୱର ୧୩ ତମ ବ୍ୟାଟସମ୍ୟାନ ଭାବେ ବିରାଟ କୋହଲି ଏହି ରେକର୍ଡ କରିଥିବା ବେଳେ ୫ମ ଭାରତୀୟ ବ୍ୟାଟସମ୍ୟାନ ଭାବେ ସେ ଏହି କୃତିତ୍ୱକୁ ହାସଲ କରିଛନ୍ତି । ସୂଚନା ଥାଉ କି , ପୂର୍ବରୁ ସଚିନ ତେନ୍ଦୁକର , ରାହୁଲ ଦ୍ରାବିଡ , ସୌରଭ ଗାଙ୍ଗୁଲି ଓ ମହେନ୍ଦ୍ର ସିଂହ ଧୋନୀ ଏହି ରେକର୍ଡ ହାସଲ କରିସାରିଛନ୍ତି ।