ଲଣ୍ଡନ (ଏଟିଆର ବ୍ୟୁରୋ); ଚଳିତ ବିଶ୍ୱକପରେ ଆଜି ସରିବ ଲିଗ ମ୍ୟାଚ । ଯଦିଓ ସେମିଫାଇନାଲରେ ୪ଟି ଟିମ ପହଁଞ୍ଚି ସାରିଛନ୍ତି । କିନ୍ତୁ ଆଜି ହେବାକୁ ଥିବା ଦୁଇଟି ଯାକ ମ୍ୟାଚ ଏକ ନମ୍ବର ସ୍ଥାନ ପକ୍କା କରିବ । ଆଜି ପ୍ରଥମ ମ୍ୟାଚରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭେଟିବ ଦକ୍ଷିଣ ଆଫ୍ରିକା । ଭାରତ ୧୩ ପଏଣ୍ଟ ପାଇଥିବା ବେଳେ ଅଷ୍ଟେଲିଆ ୧୪ ପଏଣ୍ଟ ପାଇଛି ।
ଆଜି ଯଦି ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାଠାରୁ ହାରେ ଏବଂ ଭାରତ ଶ୍ରୀଲଙ୍କାଠାରୁ ଜିତେ ତାହେଲେ ବିରାଟ ବାହିନୀ ପଏଣ୍ଟ ଟେବୁଲର ଟପରେ ରହିବ । ଅଷ୍ଟ୍ରେଲିଆ ଏବଂ ଭାରତ ଏବେ ଦମଦାର ଫର୍ମରେ ଅଛନ୍ତି । ଉଭୟଙ୍କ ବିଜୟ ଆଶା ଅଧିକ ରହିଛି । ଦକ୍ଷିଣ ଆଫ୍ରିକା ଚଳିତ ବିଶ୍ୱକପର ଆରମ୍ଭରୁ ନୈରାଶ୍ୟ ଜନକ ଖେଳ ପ୍ରଦର୍ଶନ କରି ଆସିଛି । ଦଳ ମାତ୍ର ୨ଟି ମ୍ୟାଚ ଜିତିଛି । ଶ୍ରୀଲଙ୍କା ୮ଟି ମ୍ୟାଚରୁ ୩ଟି ବିଜୟ ହୋଇଥିବା ବେଳେ ୨ଟି ମ୍ୟାଚ ବାତିଲ ହୋଇଥିଲା ।
ଚଳିତ ବିଶ୍ୱକପରେ ବିଶ୍ୱର ବଛା ବଛା ୧୦ଟି ଟିମ ଭାଗ ନେଇଥିଲେ । ଏହି ୧୦ଟି ଟିମ ମଧ୍ୟରୁ ୪ଟି ଦଳ ସେଫିଫାଇନାଲରେ ପହଁଞ୍ଚିଛନ୍ତି । ଭାରତ,ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ସେମିରେ ସ୍ଥାନ ପକ୍କା କରିଛନ୍ତି । ପାକିସ୍ତାନ ଯଦିଓ ୧୧ ପଏଣ୍ଟ ପାଇ ନ୍ୟୁଜିଲାଣ୍ଡ ସହ ସମାନ ହୋଇଛି ତଥାପି ଦଳର ନେଟ ରନରେଟ ପାଇଁ ବାଦ ପଡିଛି । ଆସନ୍ତା ୧୪ ତାରିଖରେ ବିଶ୍ୱକପର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।