ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ଅବସର ଘୋଷଣା କଲେ ମୁନାଫ ପଟେଲ । କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଯାଇଛନ୍ତି ଭାରତୀୟ କ୍ରିକେଟ ଦଳର ଅନ୍ୟତମ ସଫଳ ବୋଲର ମୁନାଫ ପଟେଲ । ବୟସ ଅଧିକ ଓ ନିଜ ଫିଟନେସ କାରଣରୁ ସେ ଅବସର ନେଇଥିବା ଜଣାପଡିଛି । ମୁନାଫ ପଟେଲ ଭାରତ ପାଇଁ ମୋଟ ୧୩ଟି ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ ୭୦ ଟି ଦିନିକିଆ ଓ ୩ଟି ଟି – ୨୦ ମ୍ୟାଚ ଖେଳିଛନ୍ତି । ସେ ଶେଷଥର ଲାଗି ୨୦୧୧ ମସିହାରେ ଇଂଲଣ୍ଡ ସହ ଟି – ୨୦ ମ୍ୟାଚ ଖେଳିଥିଲେ ।
ମୁନାଫ ମୋଟ ୧୩ ଟେଷ୍ଟ ମ୍ୟାଚ ଖେଳି ୩୫ ଟି ୱିକେଟ୍ ନେଇଥିବା ବେଳେ ୭୦ ଟି ଦିନିକିଆ ମ୍ୟାଚ ଖେଳି ୮୬ ଟି ୱିକେଟ୍ ହାସଲ କରିଛନ୍ତି । ସେହିଭଳି ଟି- ୨୦ ରେ ମଧ୍ୟ ସେ ୩ ମ୍ୟାଚ ଖେଳି ୪ ଟି ୱିକେଟ୍ ହାସଲ କରିପାରିଛନ୍ତି । ସେପଟେ ୨୦୧୧ ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳର ସେ ଜଣେ ସଦସ୍ୟ ଥିଲେ । ବିଶ୍ୱକପରେ ତାଙ୍କ ନେତୃତ୍ୱରେ ଭାରତୀୟ ପେସ ବାହିନୀ ଭଲ ପଦର୍ଶନ କରିଥିଲେ । ଏହି ଟୁର୍ଣ୍ଣମେଣ୍ଟରେ ମୁନାଫ ପଟେଲ ତୃତୀୟ ସର୍ବାଧିକ ୱିକେଟ୍ ହାସଲକାରୀ ସାଜିଥିଲେ ।
ଅନ୍ୟପଟେ କ୍ରିକେଟରୁ ଅବସର ପରେ ମୁନାଫ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ ନିଜ ଅବସରରେ କୌଣସି କଷ୍ଟ ଅନୁଭବ କରୁନାହାନ୍ତି ବୋଲି କହିଛନ୍ତି । ଯେଉଁମାନଙ୍କ ସହ ସେ କ୍ରିକେଟ ଖେଳୁଥିଲେ ସେମାନେ ନିଜ ନିଜର ଅବସର ଘୋଷଣା କରିସାରିଛନ୍ତି ତେବେ ଏଥିପାଇଁ ସେ ନିଜ ଅବସରରେ ଖୁସୀ ଅଛନ୍ତି ବୋଲି ମୁନାଫ ପଟେଲ ପ୍ରତିକ୍ରିୟା ରଖିଛନ୍ତି ।
ତେବେ ଯଦି ତାଙ୍କ ସହ ଖେଳୁଥିବା ଖେଳାଳୀ ଏବେ ପଢିଆରେ କ୍ରିକେଟ ଖେଳୁଥାଆନ୍ତେ ଓ ସେ ଅବସର ନେଇଥାଆନ୍ତେ ତେବେ ତାଙ୍କୁ ଦୁଃଖ ଲାଗିଥାଆନ୍ତା ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ , ସବୁ ପ୍ରକାର କ୍ରିକେଟରୁ ଅବସର ନେବା ପରେ ବି ସେ ୟୁଏଇରେ ହେଉଥିବା ସ– ୧୦ ଲିଗରେ ଭାଗ ନେବେ ବୋଲି ଜଣାଇଛନ୍ତି ।