ରାଞ୍ଚି (ଏଟିଆର ବ୍ୟୁରୋ); ପୁଣି ଏକ ନୂଆ ରେକର୍ଡ ନିଜ ନାଁରେ ଯୋଡିଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି । ଆନ୍ତର୍ଜାତୀୟ ଦିନିକିଆରେ ସେ ୪୧ଟି ଶତକ ହାସଲ କରି ବିଶ୍ୱର ଦ୍ୱିତୀୟ ଶତକ ହାସଲକାରୀ ମାନ୍ୟତା ପାଇଛନ୍ତି । ତାଙ୍କ ଆଗରେ ରହିଛନ୍ତି ଭାରତୀୟ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର । ସେ ନିଜର ଆନ୍ତର୍ଜାତୀୟ କ୍ରିକେଟ କାଳରେ ୪୯ଟି ଦିନିକିଆ ଶତକ ହାସଲ କରି ବିଶ୍ୱ ରେକର୍ଡ କରିଛନ୍ତି । ବିରାଟ ଏହି ରେକର୍ଡଠାରୁ ଆଉ ମାତ୍ର ୮ଟି ପାଦ ପଛରେ ରହିଛନ୍ତି । କିନ୍ତୁ ଏହି ରେକର୍ଡକୁ କୋହଲି ବହୁତ ଯଲଦି ପୂରଣ କରିବେ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ । କ୍ରିକେଟ ବିଶେଷଜ୍ଞମାନେ ପୂର୍ବରୁ ମଧ୍ୟ ମତ ଦେଇଥିଲେ କି ସଚିନଙ୍କ ରେକର୍ଡ କେବଳ ବିରାଟ ହିଁ ଭାଙ୍ଗିପାରିବେ ।
ଶୁକ୍ରବାର ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ କୋହଲି ଏହି ରେକର୍ଡ ଅର୍ଜନ କରିଛନ୍ତି । ତେବେ ଦୁଃର୍ଭାଗ୍ୟ ବଶତଃ ଏହି ମ୍ୟାଚଟି ଭାରତ ହାରି ଯାଇଛି । ବିରାଟଙ୍କ ସହିତ ପଡିଆରେ ଅନ୍ୟ କୌଣସି ଖେଳାଳି ତିଷ୍ଟି ପାରିନଥିଲେ । ଫଳରେ ଭାରତ ପରାଜୟ ବରଣ କରିବାକୁ ବାଧ୍ୟ ହୋଇଥିଲା । କିନ୍ତୁ ଏହି ମ୍ୟାଚରେ କୋହଲି ଦୁଇଟି ରେକର୍ଡ ପ୍ରତିଷ୍ଠା କରିଛନ୍ତି ଗୋଟିଏ ହେଉଛି ସଚିନଙ୍କ ପରେ ଦ୍ୱିତୀୟ ଶତକ ହାସଲକାରୀ । ଏବଂ ଦ୍ୱିତୀୟଟି ହେଉଛି ବିରାଟ ଅଧିନାୟକ ଭାବେ ୪ହଜାର ରନ୍ ପୂରଣ କରି ମହେନ୍ଦ୍ର ସିଂହ ଧୋନି (୬୬୪୧), ମହମ୍ମଦ ଆଝାରୁଦ୍ଦିନ (୫୨୩୯) ଏବଂ ସୌରଭ ଗାଙ୍ଗୁଲି (୫୧୦୪)ଙ୍କ ସହ ଏଲିଟ୍ କ୍ଲବରେ ସାମିଲ୍ ହୋଇଛନ୍ତି।
କୋହଲିଙ୍କ ଏହି ରେକର୍ଡ ପରେ ତାଙ୍କ ପାଖକୁ ପ୍ରଂଶସାର ସୁଅ ଛୁଟିଛି । ସବୁବେଳେ ଭଲ ଫର୍ମରେ ରହି ଦଳ ପାଇଁ ଏକାକି ଲଢ଼ୁଛନ୍ତି କୋହଲି । ଆସନ୍ତା ବିଶ୍ୱକପରେ ଦଳ ଏବଂ ନିଜେ ଭଲ ପ୍ରଦର୍ଶନ କରି ଭାରତକୁ ପୁଣି ଏକ ବିଶ୍ୱକପ ଦେବେ ବୋଲି ଆଶା ରଖିଛନ୍ତି ଭାରତୀୟ କ୍ରିକେଟ ପ୍ରେମୀ । କାରଣ ଏବେ ଦଳରେ ଯୁବ ଏବଂ ଅଭିଜ୍ଞ ଖେଳାଳିମାନେ ଭଲ ଫର୍ମରେ ଅଛନ୍ତି । ଯାହାକି ଦଳ ପାଇଁ ବିଶ୍ୱକପ ଜିତିବାର ସୁଯୋଗ ।