ହାମିଲଟନ (ଏଟିଆର ବ୍ୟୁରୋ); ଭାରତ ବିପକ୍ଷ ଚତୁର୍ଥ ଦିନିକିଆ ଜିତିଲା ନ୍ୟୁଜିଲାଣ୍ଡ । ସିରିଜ ହାତରୁ ଯାଇଥିଲେ ମଧ୍ୟ ଭାରତକୁ ୮ ୱିକେଟରେ ହରାଇବା ନ୍ୟୁଜିଲାଣ୍ଡ ପାଇଁ ଏକ ବଡ ଶୁଭ ଖବର । ଏହି ମ୍ୟାଚ ଜିତିବା ପରେ ଶେଷ ଦିନିକିଆ ପାଇଁ ଦଳିୟ ଖେଳାଳିଙ୍କ ମନୋବଳ ବୃଦ୍ଧି ହୋଇ ଯାଇଛି । ସେପଟେ ଭାରତ ଲଜ୍ଜା ଜନକ ପରାଜୟ ପରେ ବିଭିନ୍ନ ସମାଲୋଚନାର ଶିକାର ହେବାକୁ ପଡିଛି । ଦଳର ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତି ଦଳର ବିପର୍ଯ୍ୟୟର କାରଣ ବୋଲି କେତେକ କ୍ରିକେଟ ବିଶେଷଜ୍ଞ ମତ ରଖିଛନ୍ତି । ରୋହିତ ଜଣେ ଭଲ ଖେଳାଳି ମାତ୍ର ଅଧିନାୟକତ୍ୱରେ ମ୍ୟାଚ ହାରିବା ଦଳ ପାଇଁ ଅଶୁଭ ଖବର । ସେପଟେ ଟି-୨୦ରେ ମଧ୍ୟ କୋହଲି ଅନୁପସ୍ଥିତ ରହିବେ । ଏଣୁ ଏହି ମ୍ୟାଚ ହାରିବା ପରେ ଚିନ୍ତାରେ ପଡି ଯାଇଛି ଦଳ । ଦିନିକିଆ ସିରିଜ ତ ହାତେଇ ଦେଲା । ମାତ୍ର ଟି-୨୦ ସିରିଜ ହାତକୁ ଆସିବ ତ । ଏଭଳି ଅନେକ ଦ୍ୱନ୍ଦରେ ରହିଛନ୍ତି ଭାରତୀୟ କ୍ରିକେଟ ପ୍ରେମୀ ।
ଟସ୍ ଜିଣି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ନ୍ୟୁଜିଲାଣ୍ଡ ଆହ୍ଵାନ ଦେଇଥିଲା। ନିୟମିତ ଅଧିନାୟକ ବିରାଟ କୋହଲି ଓ ଅଭିଜ୍ଞ ମହେନ୍ଦ୍ର ସିଂହ ଧୋନିଙ୍କ ଅନୁପସ୍ଥିତିରେ ଖେଳୁଥିବା ଭାରତୀୟ ଦଳର ବ୍ୟାଟିଂ ଲାଇନ୍ ଅପ୍ ନ୍ୟୁଜିଲାଣ୍ଡର ବୋଳଇଂ ଆଗରେ ତାସ ଘର ପରି ଭୁଶୁଡ଼ି ପଡ଼ଥିଲା। ଭାରତର ନିୟମିତ ବ୍ୟାଟ୍ସମ୍ୟାନମାନେ ନ୍ୟୁଜିଲାଣ୍ଡର ବୋଲ୍ଟ ଓ ଗ୍ରାଣ୍ଡସହୋମଙ୍କ ବୋଲିଂ ସାମନା କରି ନ ପାରି ଜଣକ ପରେ ଜଣେ ପାଭିଲିୟନକୁ ଧାଡ଼ି ଲଗାଇଥିଲେ। ତେବେ ଆଜି ଭାରତୀୟ ଦଳର ବ୍ୟାଟିଂରେ ସବୁଠାରୁ ବଡ଼ ପାର୍ଟନରସିପ୍ କୁଳଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କ ମଧ୍ୟରେ ହୋଇଛି। ଏହି ଯୋଡ଼ି ୯ମ ଓ୍ଵିକେଟ ଯୋଡ଼ିରେ ୨୫ରନ୍ର ପାର୍ଟନରସିପ୍ କରିବାରେ ସମର୍ଥ ହୋଇଛନ୍ତି।ବ୍ୟକ୍ତିଗତ ଭାବେ ୧୮ ରନ୍ କରିଥିବା ଚହଲ ଭାରତର ଟପ୍ ରନ୍ ସ୍କୋରର ହୋଇଛନ୍ତି। ଭାରତ ୩୧ତମ ଓଭରରେ ମାତ୍ର ୯୨ରନ୍ରେ ସମସ୍ତ ଓ୍ଵିକେଟ ହରାଇ ନ୍ୟୁଜିଲାଣ୍ଡ ସମ୍ମୁଖରେ ମାତ୍ର ୯୩ରନ୍ର ବିଜୟ ଳକ୍ଷ୍ୟ ଧାର୍ୟ୍ୟ କରିଥିଲା।
୯୩ ରନର ବିଜୟ ଲକ୍ଷକୁ ନ୍ୟୁଜିଲାଣ୍ଡ ୮ ୱିକେଟରେ ଜିତି ନେଇଛି । ରସ ଟେଲର ସର୍ବାଧିକ ୩୭ ରନ କରି ଦଳକୁ ବିଜୟ ଦେଇଛନ୍ତି । ମାର୍ଟିନ ଗପଟିଲ ଏବଂ ଦଳର ଅଧିନାୟ ଦୁଇ ଜଣ ଆଉଟ ହୋଇ ଯାଇଥିଲେ । ମାତ୍ର ଟେଲର ଏବଂ ହେନରୀ ମ୍ୟାଚକୁ ବିଜୟ କରିଥିଲେ । ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ୨ଟି ଯାକ ୱିକେଟ ନେଇଛନ୍ତି ।