ଚଣ୍ଡିଗଡ (ଏଟିଆର ବ୍ୟୁରୋ); ଚଳିତ ଆଇପିଏଲରେ ପଞ୍ଜାବ ସବୁଠାରୁ ବଡ ବିଜୟ ହାସଲ କରିଛି । ଦିଲ୍ଲୀର ନିଶ୍ଚିନ୍ତ ବିଜୟ ହେବାକୁ ଥିବା ବେଳେ ଘାତକ ବୋଲିଂ କରି ମ୍ୟାଚ ଛଡାଇ ଆଣିଛି ପଞ୍ଜାବ । ୧୬୬ ରନ୍କୁ ପିଛା କରି ଦିଲ୍ଲୀ ୧୬.୩ ଓଭର ସୁଦ୍ଧା ୩ ୱିକେଟ୍ରେ ୧୪୪ ରନ୍ କରିଥିଲା। କିନ୍ତୁ ସାମ୍ କରନ୍ (୨.୨-୦-୧୧-୪) ହ୍ୟାଟ୍ରିକ୍ ଅର୍ଜନ କରି ଆଶ୍ଚର୍ୟ୍ୟ ସୃଷ୍ଟି କରିଥିଲେ। ଦିଲ୍ଲୀ ମାତ୍ର ୮ ରନ୍ ଭିତରେ ୭ ୱିକେଟ୍ ହରାଇ ନିଶ୍ଚିତ ବିଜୟ ମ୍ୟାଚ୍କୁ ଲଜ୍ଜାଜନକ ପରାଜୟରେ ପରିଣତ କରି ଦେଇଥିଲା। ପୂର୍ବ ଓଭର ଶେଷ ବଲରେ ହର୍ଷଲ ପଟେଲଙ୍କ ୱିକେଟ୍ ନେଇଥିବା କରନ୍ ଶେଷ ଓଭର ପ୍ରଥମ ଦୁଇ ବଲରେ ରବାଦା ଓ ଲାମିଚାନଙ୍କୁ ବୋଲଡ୍ କରି ଚଳିତ ଋତୁର ପ୍ରଥମ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ପୂର୍ବରୁ ପିଞ୍ଚ୍ ହିଟର୍ ଭାବେ ପାମଭଳି ଆରମ୍ଭ କରି ୧୦ ବଲରୁ ୨୦ ରନ୍ କରିଥିବାରୁ କରନ୍ ହିଁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇ ନେଇଥିଲେ।
ପ୍ରଥମ ଓଭର ପ୍ରଥମ ବଲରେ ପୃଥ୍ବୀ ସ’ଙ୍କୁ ଆଉଟ୍ କରି ଦିଲ୍ଲୀକୁ ବଡ଼ ଝଟକା ଦେଇଥିଲେ ପଞ୍ଜାବ ଅଧିନାୟକ ଆର୍ ଅଶ୍ବିନ। ଶିଖର ଧାୱନ (୩୦, ୨୫ ବଲ, ୪ ଚୌକା) ଏବଂ ଶ୍ରେୟସ ଆୟର (୨୮, ୨୨ ବଲ, ୫ ଚୌକା) ୭ ଓଭରରେ ୬୦ ରନ୍ ଯୋଡ଼ି ନେଇଥିଲେ। ଋଷବ ପନ୍ତ୍ (୩୯, ୨୬ ବଲ, ୩ ଚୌକା, ୨ ଛକା) ଭଲ ଖେଳିଥିଲେ ମଧ୍ୟ ଶେଷ ପର୍ୟ୍ୟନ୍ତ ରହିନଥିଲେ। ମହମ୍ମଦ ସାମିଙ୍କୁ ଛକା ମାରିବାର ପରବର୍ତୀ ବଲ୍ରେ ଆଉଟ୍ ହୋଇଯାଇଥିଲେ। ପର ବଲରେ ମୋରିସଙ୍କ ରନ୍ ଆଉଟ୍ ବି ଦିଲ୍ଲୀ ଉପରେ ଚାପ ବଢ଼ାଇଥିଲା। କଲିନ୍ ଇନଗ୍ରାମ (୩୮, ୨୯ ବଲ, ୪ ଚୌକା, ୧ ଛକା)ଙ୍କୁ ସାମ୍ କରନ୍ ଆଉଟ୍ କରି ପଞ୍ଜାବକୁ ସବୁଠୁ ବଡ଼ ଝଟକା ଦେଇଥିଲେ। ଶେଷକୁ ୧୭ ବଲ୍, ୮ ରନ୍ ଭିତରେ ଶେଷ ୭ ୱିକେଟ୍ ହରାଇ ଦିଲ୍ଲୀ ଦଳି ହୋଇଯାଇଥିଲା।