ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଗତକାଲି ଭାରତୀୟ ଯୁବ ତାରକା ପୃଥୀ ଶ’ଙ୍କୁ ବିସିସିଆଇ ସସପେଣ୍ଡ କରିଛି । ୮ମାସ ପାଇଁ ସସପେଣ୍ଡ ହୋଇଛନ୍ତି ଶ । ତେବେ ତାଙ୍କୁ ସବୁ ଫର୍ମାଟରୁ ବାସନ୍ଦ କରିଛି ବିସିସିଆଇ । ତେବେ ସେ ବାସନ୍ଦ ହେବା ପରେ କଣ କରିବେ ତାକୁ ନେଇ ଉଠିଛି ପ୍ରଶ୍ନବାଚୀ । ଏବେ ଦମଦାର ଫର୍ମରେ ଥିବା ଶ’ ସସପେଣ୍ଡ ହେବା ପରେ ତାଙ୍କ ପ୍ରଂଶସକମାନେ ନିରାଶ ହୋଇଯାଇଛନ୍ତି ।
ଅଧିକାଂଶ ଭାରତୀୟ କ୍ରିକେଟର ଥରେ ଦଳରୁ ବାଦ ପଡିଲେ ଆଉ ଥରେ ସ୍ଥାନ ପାଇବା ମୁସକିଲ ହୋଇ ଯାଉଛି । ଯାହାର ବହୁ ଉଦାହରଣ ମଧ୍ୟ ରହିଛି । ତେବେ ନୂଆ ନୂଆ ଆନ୍ତର୍ଜାତିକ ଦଳରେ ସ୍ଥାନ ପାଉଥିବା ଏହି ଉଦୀୟମାନ ଖେଳାଳି ଥରେ ବାହାରିବା ପରେ ଆଉ ସ୍ଥାନ ପାଇବେ କି ନାହିଁ ତାକୁ ନେଇ ଏବେ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା । ସେ କଣ ଅଷ୍ଟ୍ରେଲିଆ କ୍ରିକେଟର ଡେଭିଡ ୱାର୍ଣ୍ଣର ଏବଂ ସ୍ମିଥଙ୍କ ଭଳି ଫର୍ମରେ ରହିପାରିବେ ତ ବାଦ ହେବା ପରେ ।
ସୂଚନାଯୋଗ୍ୟ, ଶ’ ଇନ୍ଦୋରରେ ୨୨ ଫେବୃଆରୀ, ୨୦୧୯ରେ ସୟଦ ମୁସ୍ତାକ ଅଲୀ ଟ୍ରଫି ମ୍ୟାଚ୍ ସମୟରେ ବିସିସିଆଇର ଆଣ୍ଟି-ଡୋପିଙ୍ଗ୍ ପରୀକ୍ଷଣ କାର୍ଯ୍ୟକ୍ରମରେ ୟୁରିନ୍ (ମୂତ୍ର) ସାମ୍ପୁଲ୍ ଦେଇଥିଲେ । ତାଙ୍କ ସାମ୍ପୁଲରେ “ଟର୍ବ୍ୟୁଟଲାଇନ୍’ ପଦାର୍ଥ ମାତ୍ରାଧିକ ମିଳିଥିଲା। ଏହି ପଦାର୍ଥ ୱାର୍ଲ୍ଡ ଆଣ୍ଟି ଡୋପିଙ୍ଗ୍ ଏଜେନ୍ସି (ୱାଡା)ର ପ୍ରତିବନ୍ଧକ ଔଷଧ ତାଲିକାରେ ଅନ୍ତର୍ଭୁକ୍ତ।
ତେବେ ଶ ଶ୍ୱାସ ପାଇଁ କଫ ଶିରଫ ଖାଇଥିବା କହିଥିଲେ । ବିସିସିଆଇ ମଧ୍ୟ ଶ’ଙ୍କ ସ୍ପଷ୍ଟୀକରଣକୁ ଗ୍ରହଣ କରିଛି। ଏଥିସହ ବିସିସିଆଇ ସ୍ୱୀକାର କରିଛି ଯେ ଶ’ କୌଣସି ଶାରୀରିକ କ୍ଷମତା ବଢ଼ାଇବା ପାଇଁ ନୁହେଁ ବରଂ ନିଜର କାଶ ରୋକିବା ପାଇଁ ଏହି ପଦାର୍ଥର ସେବନ କରିଛନ୍ତି। ତେବେ ଏହି ମାମଲାରେ ସବୁ ବିଚାରବିମର୍ଶ ପରେ ବିସିସିଆଇ ଶ’ ବିରୋଧରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନନେଇ ତାଙ୍କୁ କେବଳ ୮ମାସ ପର୍ଯ୍ୟନ୍ତ ସସପେଣ୍ଡ କରିବାକୁ ନିଷ୍ପତ୍ତି ନେଇଛି।
ସୂଚନାଯୋଗ୍ୟ ଯେ ଆଘାତ ଜନିତ ସମସ୍ୟା ପାଇଁ ସ’ ଦୀର୍ଘ ଦିନ ହେବ କ୍ରିକେଟ୍ରୁ ଦୂରେଇ ରହିଛନ୍ତି। ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ମଧ୍ୟ ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିନାହିଁ। ନିଜ ଶେଷ ଟେଷ୍ଟ୍ ମ୍ୟାଚ୍ ସେ ଅକ୍ଟୋବର ୨୩ ତାରିଖ ୨୦୧୮ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ହାଇଦ୍ରାବାଦଠାରେ ଖେଳିଥିଲେ। ଭାରତ ପାଇଁ ଦୁଇଟି ଟେଷ୍ଟ୍ ଖେଳିଥିବା ଏହି ପ୍ରତିଭାବାନ ଯୁବ ଖେଳାଳିଙ୍କ ନାଁରେ ଗୋଟିଏ ଲେଖାଏଁ ଅନ୍ତର୍ଜାତୀୟ ଶତକ ଓ ଅର୍ଧଶତକ ରହିଛି। ସ’ଙ୍କ ବ୍ୟତୀତ ଆଉ ଦୁଇ ଜଣ ଘରୋଇ କ୍ରିକେଟର୍ ବିସିସିଆଇର ଡୋପିଂ ନିରୋଧୀ ନିୟମ ଉଲଂଘନ କରିଥିଲେ। ସେହି ଦୁଇ ଜଣ ହେଲେ ବିଦର୍ଭର ଅକ୍ଷୟ ଦୁଲାରୱାର୍ ଏବଂ ରାଜସ୍ଥାନର ଦିବ୍ୟ ଗଜରାଜ।