ଜୟପୁର (ଏଟିଆର ବ୍ୟୁରୋ); ଆଇପିଏଲ ଦ୍ୱାଦଶ ସଂସ୍କରଣରେ ପଏଣ୍ଟ ଟେବୁଲର ତଳେ ଥିବା ଦୁଇ ଦଳ ମଧ୍ୟରେ ଗତକାଲି ମ୍ୟାଚ ହୋଇଥିଲା । ରାଜସ୍ଥାନ ଏବଂ ବାଙ୍ଗାଲୋର ଉଭୟ ଦଳ ତିନୋଟି ଲେଖାଏଁ ମ୍ୟାଚ ଖେଳିଥିଲେ ସୁଦ୍ଧା ଗୋଟିଏ ହେଲେ ମଧ୍ୟ ଜିତିନଥିଲେ । ତେବେ ଗତକାଲି କୋହଲି ବାହିନୀକୁ ଚମକା ଦେଇ ପ୍ରଥମ ବିଜୟର ସ୍ୱାଦ ଚାଖିଛି ରାଜସ୍ଥାନ । ବାଙ୍ଗାଲୋରକୁ ୭ ୱିକେଟରେ ପରାସ୍ତ କରିଛି ରାଜସ୍ଥାନ ।
ଜୟପୁରର ସବାଇ ମାନସିଂହ ଷ୍ଟାଡିୟମ୍ରେ ଟସ୍ ଜିତି ବ୍ୟାଟିଂ ପାଇଁ ଆମନ୍ତ୍ରିତ କୋହଲିଙ୍କ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ଦଳ ମଧ୍ୟ ବଡ଼ ସ୍କୋର୍ କରିପାରିନଥିଲା। ବିରାଟ କୋହଲି (୨୩, ୨୫ ବଲ୍, ୩ ଚୌକା) ତାଙ୍କ ସ୍ବାଭାବିକ ଟ୍ବେଣ୍ଟି-୨୦ ପାଳି ଖେଳି ନ ପାରି ବଲ୍ ପିଛା ରନ୍ କରିଥିଲେ। ଏବି ଡି’ଭିଲିୟର୍ସ (୧୩, ୯ ବଲ୍, ୨ ଚୌକା) ଏବଂ ସିମରନ୍ ହେଟମେୟର (୧, ୯ ବଲ୍) ସ୍ପିନରଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଥିଲେ। ଏହି ୩ ଜଣଙ୍କୁ ପ୍ୟାଭିଲିଅନ୍ ରାସ୍ତା ଦେଖାଇ ଦେଇଥିଲେ କର୍ଣ୍ଣାଟକୀ ଲେଗ୍ ସ୍ପିନର୍ ଶ୍ରେୟସ ଗୋପାଳ। ଏଥି ସହିତ ଗୋପାଳ ମଧ୍ୟ ଚମତ୍କାର ବୋଲିଂ ଚିତ୍ର (୪-୧-୧୨-୩) ପାଇଥିଲେ। ଗତବର୍ଷ ଏବି ଡି’ଭିଲିୟର୍ସଙ୍କୁ ଦୁଇ ଥର ଏବଂ କୋହଲିଙ୍କୁ ଥରେ ଆଉଟ୍ କରିଥିବା ଗୋପାଳ ଏଥର ଗୋଟିଏ ମ୍ୟାଚ୍ରେ ଉଭୟଙ୍କ ୱିକେଟ୍ ନେବା ତାଙ୍କ ଦକ୍ଷତାର କାହାଣୀକୁ ଆଗକୁ ନେଇଛି।
ଜବାବରେ ଅଜିଙ୍କ୍ୟ ରାହାଣେ ଏବଂ ଜୋସ୍ ବଟଲର୍ ରାଜସ୍ଥାନକୁ ବଢ଼ିଆ ଆରମ୍ଭ ଦେଇଥିଲେ। ପାୱାର ପ୍ଳେରୁ ବିନା କ୍ଷତିରେ ୫୫ ରନ୍ ଆଦାୟ କରିବା ପରେ ଅଷ୍ଟମ ଓଭରରେ ୬୦ ରନ୍ରେ ଉଭୟ ଅଲଗା ହୋଇଥିଲେ। ରାହାଣେ ୨୦ ବଲରୁ ୪ ଚୌକା ସହାୟତାରେ ୨୨ ରନ୍ ଏବଂ ବଟଲର୍ ୪୩ ବଲରୁ ୮ ଚୌକା, ୧ ଛକା ସହାୟତାରେ ୫୯ ରନ୍ କରିଥିଲେ। ଉଭୟଙ୍କ ୱିକେଟ୍ ନେଇଥିଲେ ୟୁଜବେନ୍ଦ୍ର ଚହଲ। ଏହା ପରେ ଷ୍ଟିଭେନ୍ ସ୍ମିଥ୍ (୩୮, ୩୧ ବଲ, ୨ ଚୌକା, ୧ ଛକା) ଏବଂ ରାହୁଲ ତ୍ରିପାଠୀ (୩୪ଞ୍ଚ, ୨୩ ବଲ, ୩ ଚୌକା, ୧ ଛକା)ଙ୍କ ପାଳି ଯଥେଷ୍ଟ ହୋଇଥିଲା। ଉମେଶ ଯାଦବଙ୍କୁ ଛକା ମାରି ରାହୁଲ ତ୍ରିପାଠୀ ମ୍ୟାଚ୍ ଶେଷ କରିଥିଲେ। ତଥାପି ବାଙ୍ଗାଲୋର୍ ବୋଲର ମାତ୍ର ଗୋଟିଏ ବଲ୍ ପୂର୍ବରୁ ହାରିବାରେ ସନ୍ତୁଷ୍ଟ ରହିଥିଲେ। ଚମତ୍କାର ବୋଲିଂ ପାଇଁ ଶ୍ରେୟସ୍ ଗୋପାଳ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।