ବାଙ୍ଗାଲୋର (ଏଟିଆର ବ୍ୟୁରୋ); ଚଳିତ ବର୍ଷ ଆଇପିଏଲରେ ପ୍ରଥମରୁ ଖରାପ ପ୍ରଦର୍ଶନ କରି ଆସିଥିବା ବାଙ୍ଗାଲୋର ଶେଷ ଆଡକୁ ଭଲ ଖେଳ ପ୍ରଦର୍ଶନ କରିବା ଆରମ୍ଭ କରି ଦେଇଛି । ଲଗାତାର ପରାଜୟ କାରଣରୁ ଦଳ ପଏଣ୍ଟ ଟେବୁଲର ତଳେ ରହିଆସିଥିଲା । କିନ୍ତୁ ଗତକାଲି ପଞ୍ଜାବ ବିପକ୍ଷ ମ୍ୟାଚ ଜିତିବା ପରେ ବାଙ୍ଗାଲୋର ଗୋଟିଏ ସ୍ଥାନ ଉପରକୁ ଚଢ଼ି ଯାଇଛି । ଫଳରେ ସପ୍ତମ ସ୍ଥାନରେ ଥିବା ରାଜସ୍ଥାନ ଅଷ୍ଟମ ସ୍ଥାନକୁ ଖସିପଡିଛି । ତେବେ ଆଗାମି ମ୍ୟାଚ ଗୁଡିକ ବାଙ୍ଗାଲୋର ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି ।
ଦ୍ୱାଦଶ ଆଇପିଏଲ ୪୩ତମ ମ୍ୟାଚରେ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର ମଧ୍ୟରେ ୨୦୩ ରନ କରିଥିଲା । ଦଳ ପକ୍ଷରୁ ଡିଭିଲିୟର୍ସ ସର୍ବାଧିକ ସ୍କୋର ୮୨ ରନ କରିଥିଲେ । ଗତକାଲି ଡିଭିଲିୟର୍ସ ପଞ୍ଜାବ ବୋଲରଙ୍କୁ ମାଡ ମାରି ନୟାନ୍ତ କରିଦେଇଥିଲେ । ଯାହା ଫଳରେ ବାଙ୍ଗାଲୋର ଏକ ବିଶାଳ ସ୍କୋରର ଲକ୍ଷ୍ୟ ଦେବାରେ ସଫଳ ହୋଇଥିଲେ ।
୨୦୩ ରନର ବିଶାଳ ବିଜୟ ଲକ୍ଷ୍ୟକୁ ପାରୁ ପର୍ୟ୍ୟନ୍ତ ଚେଷ୍ଟା କରି ମଧ୍ୟ ପଞ୍ଜାବ ହାସଲ କରିପାରି ନଥିଲା। ବଡ଼ ସ୍କୋର କରିଥିବାରୁ ଡେଲ୍ ଷ୍ଟେନ୍ଙ୍କ ଅନୁପସ୍ଥତି ସତ୍ତ୍ବେ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ଆର୍ସିବି ୧୮୫/୭ରେ ଅଟକାଇ ଦେଇଥିଲା। ପଞ୍ଜାବ ଏକଦା ଦୃଢ଼ ସ୍ଥିତିରେ ଥିଲେ ମଧ୍ୟ ବଢ଼ି ଚାଲିଥିବା ରନ୍ ହାର ପାଇଁ ଚାପଗ୍ରସ୍ତ ହୋଇ ଲକ୍ଷ୍ୟଭ୍ରଷ୍ଟ ହୋଇଥିଲା। ସେପଟେ ନିୟମିତ ବ୍ୟବଧାନରେ ୱିକେଟ୍ କରାୟତ କରି ଆର୍ସିବି ବିଜୟର ସ୍ବାଦ ଚାଖିଥିଲା। ଲୋକେଶ ରାହୁଲ (୪୨), କ୍ରିସ୍ ଗେଲ୍ (୨୩), ମୟଙ୍କ ଅଗ୍ରୱାଲ (୩୫), ଡେଭିଡ୍ ମିଲର (୨୪) ଓ ନିକୋଲାସ ପୁରାନ (୪୬) ଭଲ ଆରମ୍ଭ ପାଇବା ପରେ ଠିକଣା ସମୟରେ ନିଜ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ଉମେଶ ଯାଦବ ୩୬ ରନ୍ ଦେଇ ସର୍ବାଧିକ ୩ ଏବଂ ନଭଦୀପ ସାଇନି ୨ ୱିକେଟ୍ ଅକ୍ତିଆର କରିଥିଲେ।