ମୁମ୍ବାଇ (ଏଟିଆର ବ୍ୟୁରୋ); ଆଇପିଏଲ ପ୍ରେମରେ ପାଗଳ ହୋଇଛନ୍ତି କ୍ରିକେଟ ପ୍ରେମୀ । ପ୍ରତି ମ୍ୟାଚରେ ସିରିଜର ମୋଡ ବଦଳୁଥିବା ବେଳେ ଖେଳାଳିମାନେ ନୂଆ ନୂଆ ରେକର୍ଡ ପ୍ରତିଷ୍ଠା କରୁଛନ୍ତି । ତେବେ ଏହିସବୁ ରେକର୍ଡ ଭିତରେ ଆଇପିଏଲ ଇତିହାସରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ଏକ ନିଆରା ରେକର୍ଡ ନିଜ ନାଁରେ କରିଛନ୍ତି । ଆଇପିଏଲରେ ରୋହିତ ସର୍ବାଧିକଥର ମ୍ୟାନ ଅଫ ଦି ମ୍ୟାଚ ପୁରଷ୍କାର ପାଇଛନ୍ତି । ସେ ସର୍ବାଧିକ ୧୭ଥର ଏହି ପୁରଷ୍କାର ପାଇଛନ୍ତି । ଏହି ରେକର୍ଡ ପୂର୍ବରୁ ଧୋନୀ ଏବଂ ୟୂସୁଫଙ୍କ ନାମରେ ରହିଥିଲା । ଉଭୟ ଖେଳାଳି ୧୬ଥର ଲେଖାଏଁ ମ୍ୟାନ ଅଫ ଦି ମ୍ୟାଚ ପାଇଛନ୍ତି । ଶୁକ୍ରବାର ଚେନ୍ନାଇ ବିପକ୍ଷରେ ଅର୍ଦ୍ଧଶତକ ଅର୍ଜନ ବଳରେ ମ୍ୟାଚ ଜିତିଥିଲା ମୁମ୍ବାଇ ।
ତେବେ ଏହି ମ୍ୟାନ ଅଫ ଦ ମ୍ୟାଚ ରେସରେ ରହିଛନ୍ତି ସୁରେଶ ରାଇନା (୧୪), ଗୌତମ ଗମ୍ଭୀର (୧୩), ବିରାଟ କୋହଲି ଓ ଆଜିଙ୍କ୍ୟ ରାହାଣେ (ଉଭୟେ ୧୨), ବୀରେନ୍ଦ୍ର ସେହବାଗ୍ (୧୧) ଏବଂ ଅମିତ ମିଶ୍ର (୧୦) ରହିଛନ୍ତି।ରୋହିତ ରେକର୍ଡ କରିଥିବା ଏହି ରେକର୍ଡ ଆହୁରି ଗୋଟିଏ ବର୍ଷ ରହିବ ବୋଲି କ୍ରିକେଟ ପ୍ରେମୀମାନେ ଆଶା ରଖିଛନ୍ତି । କାରଣ ଚଳିତ ବର୍ଷ ଧୋନି ଅସୁସ୍ଥ ଅଛନ୍ତି । ସେ ହାଇଦ୍ରାବାଦ ମ୍ୟାଚରେ ବିଶ୍ରାମ ନେଇଥିଲେ । ଧୋନିଙ୍କ ସହ ଯୁଗଳ ରେକର୍ଡରେ ଥିବା ୟୁସୁଫ ଏବେ ଭଲ ଫର୍ମରେ ନାହାଁନ୍ତି । ଏଣୁ ରୋହିତଙ୍କ ପଛ ମାଡିବା ଅନ୍ୟ ଖେଳାଳିଙ୍କ ପାଇଁ ଏତେ ସହଜ ହେବ ନାହିଁ ।