କଟକ (ଏଟିଆର ବ୍ୟୁରୋ ) ; କଟକକୁ ଆସୁଛନ୍ତି ଭାଇଜାନ । ବାରବାଟୀରେ ବଲିଉଡ ସୁପରଷ୍ଟାର ତଥା ଦବଙ୍ଗ ବଏ ସଲମାନ ଖାନ ଦେଖାଇବେ ଜଲୱା । ଭାଇଜାନ ଭାବେ ଜଣାଶୁଣା ସଲମାନଙ୍କୁ ଦେଖିବା ପାଇଁ ଲୋକଙ୍କ ମନରେ ଦେଖାଦେଇଛି ଅହେତୁକ ଉତ୍ସାହ । ପୁରୁଷ ହକି ବିଶ୍ୱକପ ୨୦୧୮ର ଦ୍ୱିତୀୟ ଉଦଘାଟନୀ ଉତ୍ସବ ପାଇଁ ବାରବାଟି ଷ୍ଟାଡିୟମ ସଜେଇ ହୋଇ ରହିଥିବା ବେଳେ ଗତକାଲି ରାତିରେ ଖୋଦ ସଲମାନ ଖାନ ୨୮ ତାରିଖରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଟ୍ୱିଟ କରି ଜଣାଇଛନ୍ତି । ଯାହାକୁ ନେଇ ଦର୍ଶକ ମନରେ ନାହିଁ ନଥିବା ଉତ୍ସାହ ୍ଦେଖିବାକୁ ମିଳିଛି । ପୂର୍ବରୁ ସଲମାନ ଓଡିଶା ଆସିବା ନେଇ କୌଣସି ସଠିକ ସୂଚନା ମିଳିପାରିନଥିବା ବେଳେ ତାଙ୍କ ଟ୍ୱିଟ ସବୁ ପ୍ରତୀକ୍ଷାର ଅନ୍ତ ଘଟାଇଦେଇଛି ।
ତେବେ ଆଜିର କାର୍ଯ୍ୟକ୍ରମରେ ସଲମାନ ଙ୍କ ସହ ପ୍ରସିଦ୍ଧ ସଂଗୀତଜ୍ଞ ଏ ଆର ରହେମାନ ମଧ୍ୟ ନିଜ ଗୀତର ଯାଦୁରେ ଦର୍ଶକଙ୍କୁ ମତୁଆଲା କରିବେ । ସେପଟେ ଆଜିର କାର୍ଯ୍ୟକ୍ରମରେ ଷ୍ଟାଡିୟମ ମଧ୍ୟକୁ ପାଣି ବୋତଲ , ବ୍ୟାଗ , ଖାଦ୍ୟ ସାମଗ୍ରୀ, କଏନ, ମିରର, ଓ କ୍ୟାମେରା ନିଶେଧ କରାଯାଇଛି । ସୂରକ୍ଷା ନିମନ୍ତେ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି ।
ପୂରା ଷ୍ଟାଡିୟମ ସିସିଟିଭି ବଳୟ ମଧ୍ୟରେ ରହିବ ବୋଲି ପୋଲିସ କମିଶନର କହିଛନ୍ତି । ଅନ୍ୟପଟେ ସଲମାନଙ୍କୁ ଦର୍ଶକ ଚାତକ ପରି ଚାହିଁରହିଛନ୍ତି । ଆଜିର କାର୍ଯ୍ୟକ୍ରମ ସଂନ୍ଧ୍ୟା ୫.୩୦ରେ ଆରମ୍ଭ ହେବ ବୋଲି ଜଣାପଡିଛି । ତେବେ ମଧ୍ୟାହ୍ନ ୨.୩୦ରୁ ଷ୍ଟାଡିୟମକୁ ଦର୍ଶକ ପ୍ରବେଶ କରିପାରିବେ ବୋଲି ଜଣାପଡିଛି ।