କଟକ (ଏଟିଆର ବ୍ୟୁରୋ): ଗତକାଲି କଟକ ବାରବାଟୀ ଷ୍ଟାଡିୟମରେ ଥିଲା ପୁରୁଷ ହକି ବିଶ୍ୱକପ୍ ର ଦ୍ୱିତୀୟ ଉଦଘାଟନୀ ଉତ୍ସବ । ଏଥିରେ ଓଲିଉଡ୍ ଓ ବଲିଉଡ କଳାକାରଙ୍କ ଧମାଲ ଦେଖିବାକୁ ମିଳିଥିଲା । ଏହି ଉତ୍ସବର ସନ୍ଧ୍ୟାଟି ଖୁବ୍ ରୋମାଞ୍ଚକ ଥିଲା । ଓସ୍କାର ବିଜେତା ତଥା ସଙ୍ଗୀତ ନିର୍ଦ୍ଦେଶକ ଏ.ଆର ରେହମାନଙ୍କ ସଙ୍ଗୀତରେ ଝୁମିବାରେ ଲାଗିଥିଲେ ଦର୍ଶକ ।
ଏହାସହିତ ପ୍ରଥମ ଥର ପାଇଁ ଭାଇଚାରାର ସହରରେ ପାଦ ଦେଇଥିବା ଭାଇଜାନ୍ ଙ୍କ ଝଲକ ଦେଖିବା ପାଇଁ ଖୁବ୍ ଉତ୍ସାହର ସହ ଅନେଇ ବସିଥିଲେ ଦର୍ଶକ । ଭୋକ ଶୋଷ ସବୁ କିଛି ଭୁଲି ଯାଇଥିଲେ । ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା ଷ୍ଟେଜ୍ ଉପରକୁ ଭାଇଜାନ୍ କେତେବେଳେ ଆସିବେ । ହେଲେ ଭାଇଜାନ୍ ଯେତେବେଳେ ଷ୍ଟେଜ୍ ଉପରେ ଜୟ ଜଗନ୍ନାଥ କହି ଦର୍ଶକଙ୍କୁ ଅଭିନନ୍ଦନ ଜଣାଇଥିଲେ, ସେତେବେଳେ ଉତ୍ସାହ ଗର୍ଜନରେ କମ୍ପି ଉଠିଥିଲା ଷ୍ଟାଡିୟମ ।
ଅନ୍ୟପଟେ ଷ୍ଟାଡିୟମରେ ଭରପୁର ଦର୍ଶକଙ୍କର ଉତ୍ସାହ ଦେଖି ବେଶ୍ ଖୁସି ହୋଇଯାଇଥିଲେ ସଲମାନ୍ । ସେ ଓଡିଶା ମାଟିରେ ଛିଡା ହୋଇ ‘ମୁଁ ତୁମକୁ ଭଲ ପାଏ’ ବୋଲି କହିବା ସହିତ କଟକ ପ୍ରସିଦ୍ଧ ଦହିବରା ଖାଇବା ପାଇଁ ମଧ୍ୟ କହିଥିଲେ । ଏହାସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା କରିଥିଲେ ।
ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର ରେହମାନ ଏବଂ ସଲମାନଙ୍କୁ ଉତ୍ତରିୟ ପିନ୍ଧାଇବା ସହ ଉପହାର ଦେଇ ସମ୍ମାନିତ କରିଥିଲେ ।