ଲଣ୍ଡନ (ଏଟିଆର ବ୍ୟୁରୋ); ଚଳିତ ବିଶ୍ୱକପରେ ଜୋରଦାର ଚାଲିଛି ଲଢ଼େଇ । ଆଜି ଶ୍ରୀଲଙ୍କାକୁ ଭେଟିବ ୱେଷ୍ଟ ଇଣ୍ଡିଜ । ଇଣ୍ଡିଜ ସେମିଫାଇନାଲ ଦୌଡରୁ କଟିଯାଇଥିବା ବେଳେ ଶ୍ରୀଲଙ୍କା ସେମିଯିବାର ଆଶା ରହିଛି । ତେବେ ଆଜି ଯଦି ହାରିଯାଏ ତେବେ ସେମି ଆଶା ଧୂଳିଶାତ ହୋଇଯିବ । ଏଣୁ ଶ୍ରୀଲଙ୍କା ବୁଝିଶୁଝି ଖେଳିବ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ ।
ଶ୍ରୀଲଙ୍କା ୭ଟି ମ୍ୟାଚରୁ ଦୁଇଟି ବିଜୟ ହୋଇ ୬ ପଏଣ୍ଟ ପାଇଛି । ଶ୍ରୀଲଙ୍କାର ଦୁଇଟି ମ୍ୟାଚ ବର୍ଷା ଧୋଇ ନେଇଥିଲା । ଯାହାକି ଏକପ୍ରକାର ସେମି ଆଶାରେ ପାଣି ପୁରେଇ ଦେଇଛି । ତେବେ ଶେଷ ଦୁଇଟି ମ୍ୟାଚ ଜିତିବା ପାଇଁ ଦଳ ଚେଷ୍ଟା କରିବ । ଦଳ ବୋଲିଂରେ ମାଲିଙ୍ଗାଙ୍କ ଉପରେ ଭରଷା କରିବ । ଦଳର ଏହି ଅଭିଜ୍ଞ ଖେଳାଳି ଆୟୋଜକ ଇଂଲଣ୍ଡ ହାତରୁ ଚଳିତ ବିଶ୍ୱକପରେ ଏକ ମ୍ୟାଚ ଛଡାଇ ଆଣିଥିଲେ ।
ଇଣ୍ଡିଜ ଚଳିତ ବିଶ୍ୱକପରେ ୭ଟି ମ୍ୟାଚରୁ ମାତ୍ର ଗୋଟିଏ ବିଜୟ ହୋଇଛି । ଦଳ ଏବେ ସେମି ରେସରୁ ବାଦ ପଡିସାରିଲାଣି । ବିଶ୍ୱକପ ଅଭିଯାନର ପ୍ରଥମ ମ୍ୟାଚରେ ଦଳ ପାକିସ୍ତାନକୁ ହରାଇଥିଲା । କିନ୍ତୁ ଏହାପରେ ପରାଜୟ ଧାରା ଜାରି ରଖିଛି । ଦଳର ଦକ୍ଷ ଅଲରାଉଣ୍ଡର ଆନ୍ଦ୍ରେ ରସେଲ ଆହତ ହେବା ପରଠାରୁ ଦଳ ଦୁର୍ବଳ ହୋଇ ଯାଇଛି । ଅନ୍ୟ ଖେଳାଳିମାନେ ଯଦିଓ ଭଲ ଫର୍ମରେ ଅଛନ୍ତି ତଥାପି ଦଳ ହାରୁଛି । ଆଜି ଗେଲ ଝଡ ଦେଖିବା ପାଇଁ ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ ।