ନଟିଂହାମ (ଏଟିଆର ବ୍ୟୁରୋ); ଭାରତ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ବର୍ଷା ସାଜିଛି ବାଧକ । ଲଗାଣ ବର୍ଷା ପାଇଁ ଟସ ପଡି ନାହିଁ । ଏଣୁ ମ୍ୟାଚ ଆରମ୍ଭ ହେବାରେ ବିଳମ୍ବ ହେବ । ଦୁଇ ଦଳର ଖେଳାଳି ପଡିଆରେ ପହଁଞ୍ଚି ସାରିଥିଲେ ସୁଦ୍ଧା ଖେଳ ଆରମ୍ଭ ହୋଇ ନାହିଁ । ଭାରତୀୟ କ୍ରିକେଟ ପ୍ରେମୀମାନେ ପଡିଆରେ ଚାହିଁ ବସିଥିଲେ ସୁଦ୍ଧା ମ୍ୟାଚ ଆରମ୍ଭ ହେବାରେ ବିଳମ୍ବ ହେବାରୁ ପ୍ରଂଶସକମାନେ ନିରାଶ ହୋଇଛନ୍ତି ।
ନଟିଂହ୍ୟାମରେ ଗତକାଲି ରାତିରେ ଲଗାଣ ବର୍ଷା ହୋଇଥିଲା। ଏହାପରେ ଆଜି ସକାଳେ ଦୁଇରୁ ତିନି ଘଣ୍ଟା ପାଇଁ ପାଗ ଶୁଖିଲା ରହିଥିଲା। ଏହାପରେ ପୁଣି ବର୍ଷା ଆରମ୍ଭ ହୋଇଛି। ଇଂଲଣ୍ଡ ପାଣିପାଗ ବିଭାଗ ଅନୁସାରେ ଆଜି ପାଗ ମେଘୁଆ ରହିବ।ଏଣୁ ଆଜିର ମ୍ୟାଚଟି ବାତିଲ ହେବାର ଆଶଙ୍କା ଅଧିକ ରହିଛି । ତେବେ ମ୍ୟାଚ ରେଫରି ଖେଳ ଆରମ୍ଭ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।
ଭାରତ ଦୁଇଟି ମ୍ୟାଚରୁ ଦୁଇଟି ବିଜୟ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ୩ଟି ମ୍ୟାଚରୁ ୩ଟିଯାକ ବିଜୟୀ ହୋଇଛି । ଉଭୟଙ୍କ ବିଜୟ ରାସ୍ତା ରୋକିଛି ବର୍ଷା । ଦୁଇ ଦଳ ମଧ୍ୟରେ କଡା ଟକ୍କର ହେବ ବୋଲି ଆଶା ରଖିଥିଲେ କ୍ରିକେଟ ପ୍ରେମୀ । କିନ୍ତୁ ବର୍ଷା ସବୁକିଛି ପଣିଚିଆ କରି ଦେଇଛି । ପୂର୍ବରୁ ୩ଟି ମ୍ୟାଚ ମଧ୍ୟ ଏଭଳି ବର୍ଷା ପାଇଁ ବାତିଲ ହୋଇଛି ।