ଲଣ୍ଡନ (ଏଟିଆର ବ୍ୟୁରୋ); ବିଶ୍ୱକପର ପ୍ରଥମ ମ୍ୟାଚରୁ ହାରିଲା ପାକିସ୍ତାନ । ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଆରମ୍ଭ କରିଥିବା ଅଭିଯାନରୁ ଆଣ୍ଠେଇଲା ପାକିସ୍ତାନ । ୧୦୬ ରନର ବିଜୟକୁ ୱେଷ୍ଟ ଇଣ୍ଡିଜ ମାତ୍ର ୧୩ ଓଭର ୪ଟି ବଲରେ ବିଜୟ ହାସଲ କରିଛି । ଛକା ମାରି ଦଳକୁ ବିଜୟ କଲେ ନିକୋଲାସ ପୁରାନ । ୱେଷ୍ଟ ଇଣ୍ଡିଜ ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ୩ଟି ୱିକେଟ ବିନିମୟ କରିଥିଲା ।
ଦଳର ପ୍ରାରମ୍ଭିକ ଯୋଡି ଭଲ ଆରମ୍ଭ କରିଥିଲେ । ଧୂଆଁଧାର ବ୍ୟାଟ୍ସମ୍ୟାନ ଗେଲ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ସେ ୩୪ ବଲରୁ ୫୦ ରନ କରିଛନ୍ତି । ତାଙ୍କ ପଛକୁ ପୁରାନ ୧୯ ବଲରୁ ୩୪ ରନ କରିବାରେ ସକ୍ଷମ ହୋଇଛନ୍ତି । ପାକିସ୍ତାନୀ ବୋଲର ମହମ୍ମଦ ଅମୀର ୩ଟିଯାକ ୱିକେଟ ଅକ୍ତିଆର କରିଛନ୍ତି । ବାକି ବୋଲରଙ୍କୁ ଧୁଲେଇ କରିଥିଲେ ଇଣ୍ଡିଜ ବ୍ୟାଟ୍ସମ୍ୟାନ । ପ୍ରଥମରୁ ଟି-୨୦ ଷ୍ଟାଇଲରେ ଖେଳ ଆରମ୍ଭ କରିଥିଲେ ଇଣ୍ଡିଜ ଖେଳାଳି ।
ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୧ ଓଭର ୪ଟି ବଲରେ ୧୦୫ ରନରେ ସମସ୍ତ ୱିକେଟ ହରାଇଥିଲା । ଦଳର ୭ଜଣ ଖେଳାଳି ଦୁଇ ଅଙ୍କ ଛୁଇଁନଥିଲେ । ସର୍ବାଧିକ ସ୍କୋର ୨୨ ରହିଥିଲା । ୱେଷ୍ଟ ଇଣ୍ଡିଜ ବୋଲି ଥୋମାସ ୪ଟି ୱିକେଟ ଅକ୍ତିଆର କରିଥିଲେ । ସେ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି । ହୋଲଡର ୨ଟି ୱିକେଟ ନେଇଥିବା ବେଳେ ରସେଲଙ୍କୁ ମିଳିଥିଲା ୨ଟି ୱିକେଟ । ତେବେ ଆସନ୍ତା ୧୬ ତାରିଖରେ ପାକିସ୍ତାନ ଭାରତକୁ ଭେଟିବା ପାଇଁ ଯାଉଛି ।