ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ) ; ବିଜୟ ପଥରେ ମହିଳା ଭାରତୀୟ ଦଳ । ଗୋଟିଏ ପରେ ଗୋଟିଏ ମ୍ୟାଚ ଜିତି ଟାଇଟଲ ହାସଲ ଲକ୍ଷରେ ଟିମ । ଗ୍ରୁପ ମ୍ୟାଚ ଶେଷ ହେବା ପୂର୍ବରୁ ସେମିଫାଇନାଲ ପାଇଁ ନିଜର ସ୍ଥାନ ପକ୍କା କରିନେଇଛି । ଦଳର ଏଭଳି ପ୍ରଦର୍ଶନକୁ ଦେଖି ପୂର୍ବତନ ଖେଳାଳି ଏବଂ କ୍ରିକେଟ ବିଶେଷଜ୍ଞମାନେ ଟିମ ଇଣ୍ଡିଆ ଚାମ୍ପିୟନ ହେବା ନେଇ ଆଶା ରଖିଛନ୍ତି । ଗ୍ରୁପ ବିରେ ସ୍ଥାନ ପାଇଥିବା ଦଳ ମାନଙ୍କ ମଧ୍ୟରେ ପଏଣ୍ଟ ତାଲିକାରେ ଶୀର୍ଷରେ ରହିଛି । ୱେଷ୍ଟଇଣ୍ଡିଜରେ ଆରମ୍ଭ ହୋଇଥିବା ଟି-୨୦ ବିଶ୍ୱକପରେ ସବୁଠାରୁ ଶକ୍ତିଶାଳି ଦଳ ଭାବରେ ଦଳ ଗଣାହେଉଛି । ଗ୍ରୁପ ବିରେ ସ୍ଥାନ ପାଇଥିବା ଭାରତୀୟ ଦଳ ଗ୍ରୁପରେ ଥିବା ସବୁ ଦଳକୁ ଧରାଶାୟୀ କରିବାରେ ଲାଗିଛି ।
ଭାରତୀୟ ମହିଳା ଦଳର ଖେଳାଳି ମାନେ ଅତି ଉଚ୍ଚକୋଟିର ଖେଳ ଜାରୀ ରଖିଛନ୍ତି । ବ୍ୟାଟିଂ ହେଉ ବା ବୋଲିଂ ସବୁଥିରେ ନିଜର ଜଲବା ଦେଖଉଛନ୍ତି ଖେଳାଳିମାନେ । ଗତ କାଲି ଆୟୋଜିତ ହୋଇଥିବା ଗ୍ରୁପ ମ୍ୟାଚରେ ବିଶ୍ୱର ବଡ ଦଳ ବୋଲାଉଥିବା ଅଷ୍ଟ୍ରେଲିଆକୁ ଧରାଶାୟୀ କରିଛି । ଶକ୍ତିଶାଳୀ ଦଳକୁ ୪୮ ରନରେ ପରାସ୍ତ କରିଛି ଭାରତୀୟ ଦଳ । ସ୍ମୃତି ମାଦ୍ଦନାଙ୍କ ଲଢ଼ୁଆ ବ୍ୟାଟିଂ ସାଙ୍ଗକୁ ସ୍ପିନରଙ୍କ ଯାଦୁରେ ଘାଇଲା ହୋଇ ଯାଇଥିଲା କଙ୍ଗାରୁ ଦଳ । ମାଦ୍ଦନାଙ୍କ ଅପରାଜିତ ୮୩ ରନ ବଳରେ ଦଳ ୧୬୮ ରନ କରିବା ପାଇଁ ସକ୍ଷମ ହୋଇଥିଲା । ଏହି ସ୍କୋରକୁ ସାମ୍ନାକରିବାକୁ ଯାଇ ନିର୍ଦ୍ଦାରିତ ଓଭର ପୂର୍ବରୁ ସମସ୍ତ ୱିକେଟ ହରାଇ ସାରିଥିଲା କଙ୍ଗାରୁ ଦଳ । ଅଷ୍ଟ୍ରେଲିଆକୁ ହରାଇବା ପୂର୍ବରୁ ନ୍ୟୁଜିଲାଣ୍ଡ,ଆୟାରଲ୍ୟାଣ୍ଡ ଏବଂ ପାରମ୍ପରିକ ପ୍ରତିଦ୍ୱନ୍ଦି ପାକିସ୍ତାନକୁ ମଧ୍ୟ ପରାସ୍ତ କରିଛି ଭାରତୀୟ ଦଳ ।