ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଟୀକାକରଣ ପାଇଁ କୋୱିନ ପୋର୍ଟାଲ ରେ ପଞ୍ଜିକୃତ କରିବା ଆବଶ୍ୟକ । ଏହାରି ମଧ୍ୟରେ ଭାରତ ସରକାର କୋୱିନ ପୋର୍ଟାଲରେ ଏକ ନୂତନ ସିକ୍ୟୁରିଟି ଫିଚର ସାମିଲ କରିଛନ୍ତି । ଏଣିକି କୌଣସି ବ୍ୟକ୍ତି ଟୀକାକରଣ ପାଇଁ ରେଜିଷ୍ଟ୍ରେସନ କରିବା ଦ୍ୱାରା ତାଙ୍କୁ ୪ ଅଙ୍କ ବିଶିଷ୍ଟ ଏକ ସିକ୍ୟୁରିଟି କୋଡ ମିଳିବ । ଏହି କୋଡକୁ ଟୀକାକରଣ ସମୟରେ ସ୍ୱାସ୍ଥ୍ୟକର୍ମଙ୍କୁ ଦେଖାଇବାକୁ ପଡିବ । ଏହାଦ୍ୱାରା ଟୀକା ଲଗାଉଥିବା ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ତଥ୍ୟ ରେକର୍ଡ ହୋଇଯିବ ।
ସରକାରଙ୍କ କହିବା ଅନୁଯାୟୀ, ଏହି ଫିଚର ଆସିବା ଦ୍ୱାରା ଲୋକଙ୍କୁ ଟୀକାକରଣ ସମୟରେ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ ।
ସୂଚନାଯୋଗ୍ୟ, କିଛି ଦିନ ହେବ ଅଭିଯୋଗ ଆସୁଛି କି, ଯେଉଁମାନେ ଅନଲାଇନ ଟୀକାକରଣର ସ୍ଲଟ ବୁକ୍ କରିଥିଲେ ସେମାନଙ୍କୁ କୋୱିନ ପୋର୍ଟାଲ ପକ୍ଷରୁ ଟୀକାକରଣର ମେସେଜ ପଠାଯାଇଥିଲା, କିନ୍ତୁ ସେମାନେ ନିର୍ଦ୍ଧାରିତ ଦିନରେ ଟୀକାକରଣ ପାଇଁ ଆସିନଥିଲେ । ସେଥିପାଇଁ ଏବେ କୋୱିନ ପୋର୍ଟାଲରେ ବୁକିଂ ପରେ ଗ୍ରାହକଙ୍କ ନିକଟକୁ ଏସଏମଏସ ଯିବ, ଯେଉଁଥିରେ ୪ ଅଙ୍କ ବିଶିଷ୍ଟ ସିକ୍ୟୁରିଟି କୋଡ ଦିଆଯାଇଥିବ । ଏହାବ୍ୟତିତ ଏକ ଆକନୋଲେଜମେଣ୍ଟ ସ୍ଲିପ ମଧ୍ୟ ଦିଆଯିବ, ସେଥିରେ ମଧ୍ୟରେ ଏହି କୋଡ ଉପଲବ୍ଧ ଥିବ । ଲୋକେ ଏହି ସ୍ଲିପକୁ ତାଙ୍କ ଫୋନରେ ସେଭ କରି ପାରିବେ ।