ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏଣିକି ହ୍ୱାଟ୍ସଆପ୍ ରେ ପଠାଇ ପାରିବେ ଟଙ୍କା । ଆଜ୍ଞା ହଁ ,ଭାରତରେ ଇଂଷ୍ଟାଣ୍ଟ ମେସେଜିଙ୍ଗ ଆପ୍ ହ୍ୱାଟ୍ସଆପ୍ ଜରିଆରେ କେବଳ ମେସେଜ ନୁହେଁ ଟଙ୍କା ବି ପଠାଇ ପାରିବେ । ଏନେଇ କମ୍ପାନୀ ଆରମ୍ଭ କରିଛି ହ୍ୱାଟ୍ସଆପ୍ ପେ ।
ଦୀର୍ଘ ଦିନର ଅପେକ୍ଷା ପରେ ଏବେ ଭାରତରେ ଲାଇଭ ହୋଇଛି ହ୍ୱାଟ୍ସଆପ୍ ପେ ଫିଚର । ଆର୍ଥାତ ଆପଣ ଏବେ ହ୍ୱାଟ୍ସଆପ୍ ଜରିଆରେ ଟଙ୍କା ନେଣଦେଣ କରିପାରିବେ । ପୂର୍ବରୁ ଆପଣମାନେ ଯେଉଁଭଳି ଭାବେ ଗୁଗଲ ପେ, ଫୋନ ପେ ଏବଂ ଅନ୍ୟ ୟୁପିଆଇ ଆପ ଜରିଆରେ ଟଙ୍କା ପଠାଉଥିଲେ । ଠିକ୍ ସେହିଭଳି ହ୍ୱାଟ୍ସଆପ୍ ରେ ପଠାଇ ପାରିବେ ଟଙ୍କା । ଏହି ସର୍ଭିସ ପାଇଁ ହ୍ୱାଟ୍ସଆପ୍ କୁ କେବଳ ନେସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ) ଅନୁମୋଦନର ଅପେକ୍ଷା ଥିଲା, ଯାହା ଏବେ ମିଳିସାରିଛି ।
ତେବେ ଆସନ୍ତୁ ଜାଣିବା ହ୍ୱାଟ୍ସଆପ୍ ପେ କଣ?
ଏହା ୟୁପିଆଇ ଆଧାରିତ ହ୍ୱାଟ୍ସଆପର ପେମେଣ୍ଟ ସର୍ଭିସ । ଯାହା ଫେବୃଆରୀ ମାସରୁ ଭାରତରେ ଟେଷ୍ଟିଂ କରାଯାଉଥିଲା । କିନ୍ତୁ ଏବେ ଏହାକୁ ସମସ୍ତ ୟୁଜର୍ସଙ୍କ ପାଇଁ ଜାରି କରି ଦିଆଯାଇଛି । ଏହା ଜରିଆରେ ୟୁଜର୍ସ ନିଜର ୟୁପିଆଇ ଏନେବୁଲ ବ୍ୟାଙ୍କ ଆକାଉଣ୍ଟସକୁ ଲିଙ୍କ କରିପାରିବେ ଏବଂ ହ୍ୱାଟ୍ସଆପ ଜରିଆରେ ଟଙ୍କା ପଠାଇ ପାରିବେ ।
ତେବେ ଆସନ୍ତୁ ଜାଣିବା ହ୍ୱାଟ୍ସଆପ ପେ କୁ କିଭଳି କରିବେ ସେଟ୍ ଅପ୍
ସର୍ବପ୍ରଥମେ ହ୍ୱାଟ୍ସଆପ୍ ଅପଡେଟ କରନ୍ତୁ । ଏହାପରେ ଆପଣଙ୍କ ହ୍ୱାଟ୍ସଆପ୍ ଓପନ କରନ୍ତୁ । ଏହାପରେ ଡାହାଣ ପଟେ ଦିଆଯାଇଥିବା ମେନ୍ୟୁ ବା ଥ୍ରି ଡଟ୍ ଆଇକନ ଉପରେ ଟ୍ୟାପ କରନ୍ତୁ । ଏଠାରେ ଆପଣଙ୍କ ପେମେଣ୍ଟର ନୂତନ ଅପ୍ସନ ନଜର ଆସିବ । ପେମେଣ୍ଟକୁ ଯିବା ପରେ ଆପଣଙ୍କୁ ଆଡ୍ ପେମେଣ୍ଟ ମେଥଡ ଉପରେ ଟ୍ୟାପ କରିବାକୁ ହେବ । ଏହାପରେ ଆପଣଙ୍କ ଆକ୍ସେପ୍ଟ ଆଣ୍ଡ କଣ୍ଟିନ୍ୟୁ ଉପରେ ଟ୍ୟାପ କରନ୍ତୁ । ଏଠାରେ ଆପଣଙ୍କୁ ବ୍ୟାଙ୍କର ଏକ ଲିଷ୍ଟ ମିଳିବ । ବ୍ୟାଙ୍କ ସିଲେକ୍ଟ କଲା ପରେ ଆପଣଙ୍କ ନମ୍ବର ଭେରିଫାଇ କରାଯିବ । ଭେରିଫିକେସନ ପାଇଁ ଆପଣଙ୍କ ନମ୍ବରକୁ ଏକ ଏସଏମଏସ ଆସିବ । ସେଥିପାଇଁ ଧ୍ୟାନ ରଖିଥିବେ କି ଆପଣଙ୍କ ବ୍ୟାଙ୍କ ଖାତାରେ ଯେଉଁ ନମ୍ବର ଲିଙ୍କ ହୋଇଥିବ ତାହା ହ୍ୱାଟ୍ସଆପ ନମ୍ବର ହୋଇଥିବ ।
ମେସେଜ ଏବଂ ଫଟୋ ପଠାଇବା ଭଳି ହ୍ୱାଟ୍ସଆପ ର ଟଙ୍କା ପଠାଇବା ବି ବହୁତ ସହଜ । ସେଥିପାଇଁ ହ୍ୱାଟ୍ସଆପ୍ ଓପନ କରି ସେହି କଣ୍ଟାକ୍ଟକୁ ଯାଆନ୍ତୁ, ଆପଣ ଯାହାଙ୍କୁ ଟଙ୍କା ପଠାଇବେ । ଏହାପରେ ତଳେ ଦିଆଯାଇଥିବା ଆଟାଚମେଣ୍ଟ ଆଇକନ ଉପରେ ଟ୍ୟାପ କରିବା ମାତ୍ରେ, ଗ୍ୟାଲେରୀ ଏବଂ ଡକ୍ୟୁମେଣ୍ଟ ସହିତ ପେମେଣ୍ଟର ଅପ୍ସନ ବି ନଜରକୁ ଆସିବ । ଏହାପରେ ଆପଣ ଯେତେ ଟଙ୍କା ପଠାଇବାକୁ ଚାହୁଁଛନ୍ତି ଟାଇପ କରି ଟଙ୍କା ପଠାଇ ପାରିବେ ।