କର୍ଣ୍ଣାଟକ (ଏଟିଆର ବ୍ୟୁରୋ ) : ମଣିଷ ଚନ୍ଦ୍ର ଓ ମଙ୍ଗଳରେ ଘର କରିବା କଥା ଚିନ୍ତା କଲାଣି କିନ୍ତୁ ଏବେ ବି ଅନ୍ଧବିଶ୍ୱାସର ଅନ୍ଧଗଳିରେ ଅନେକ ଜଣ ରହିଛନ୍ତି । ଯାହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି କର୍ଣ୍ଣାଟକ ରାଜ୍ୟର ହୁବବାଲ୍ଲି ଇଲାକାରେ । ଗୋଟିଏ ହ୍ରଦରୁ ଜଣେ ଏଡସ୍ ଆକ୍ରାନ୍ତଙ୍କ ମୃତଦେହ ମିଳିବା ପରେ ପୁରା ହ୍ରଦରୁ ଏବେ ଚାଲିଛି ପାଣି ନିଷ୍କାସନ ।
କର୍ଣ୍ଣାଟକର ହୁବବାଲ୍ଲି ଠାରୁ ୩୦ କି.ମି ଦୂରରେ ରହିଛି ମୋରବା ଗାଁ । ଏହି ଅଞ୍ଚଳରେ ଥିବା ମୋରବ ହ୍ରଦ ହେଉଛି ସ୍ଥାନୀୟ ଲୋକଙ୍କ ପାଇଁ ସବୁଠୁ ବଡ ଜଳ ଉତ୍ସ । ଯାହାର ପାଣିକୁ ଦୈନନ୍ଦିନ ଜୀବନରେ ବ୍ୟବହାର କରନ୍ତି ଶହ ଶହ ଲୋକେ । ହେଲେ ଗତ ନଭେମ୍ବର ୨୯ ରେ ଏହି ହ୍ରଦରୁ ଜଣେ ଏଡସ୍ ଆକ୍ରାନ୍ତ ମହିଳାଙ୍କ ଶବ ମିଳିବା ପରେ ପୁରା ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଥିଲା । କାଳେ ଏହି ପାଣି ବ୍ୟବହାର କଲେ ଅନ୍ୟମାନଙ୍କୁ ମଧ୍ୟ ଏଡସ୍ ରୋଗ ହୋଇଯିବ ବୋଲି ଭାବି ୩୬ ଏକର ବିଶିଷ୍ଟ ଏହି ହ୍ରଦରୁ ଏବେ ପର୍ଯ୍ୟନ୍ତ ପାଣି ନିଷ୍କାସନ କରୁଛନ୍ତି ସ୍ଥାନୀୟ ଲୋକେ ।
ହୁଏତ ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଏହା ସତ ଘଟଣା । ଏଡସ୍ ରୋଗ ଛୁଇଁଲେ ବା ପାଣି , ପବନ ଦ୍ୱାରା ବ୍ୟାପେ ନାହିଁ ବୋଲି ପ୍ରଶାସନିକ ଅଧିକାରୀମାନେ ଯେତେ ଏମାନଙ୍କୁ ବୁଝେଇଲେ ବି କେହି ବି ଶୁଣିବାକୁ ନାରାଜ । ସମସ୍ତଙ୍କର ଏକାଜିଦ , ପାଣି ନିଷ୍କାସନ ନହେବା ପର୍ଯ୍ୟନ୍ତ ଏହି ଜଳ ଉତ୍ସ ବ୍ୟବହାର ଉପଯୋଗୀ ନୁହେଁ । ଏହି ପାଣି ବ୍ୟବହାର କଲେ ଏଡସ୍ ହୋଇଯିବ ବୋଲି ସେମାନଙ୍କର ଭାବନାକୁ ବଦଳାଇବାରେ ସକ୍ଷମ ହୋଇ ପାରିନି ପ୍ରଶାସନ । ଫଳରେ ନଭେମ୍ବର ୩୦ ତାରିଖ ଠାରୁ ଏହି ମୋରାବ ହ୍ରଦରୁ ଜଳ ନିଷ୍କାସନ ଚାଲିଛି ।
ଜଳ ନିଷ୍କାସନ ପରେ ୨କି.ମି ଦୂରରେ ଥିବା ମାଲାପ୍ରଭା କେନାଲକୁ ପାଣି ଆଣିବାକୁ ଯାଉଛନ୍ତି ଏବଂ ସେହି କେନାଲର ପାଣି ହିଁ ଆଣି ଏହି ହ୍ରଦରେ ଭରିବେ ବୋଲି ଜିଦ ଧରିଛନ୍ତି ଗ୍ରାମବାସୀ । ସେପଟେ ଏହି ଘଟଣାରେ ଧରୱାଦା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରାଜେନ୍ଦ୍ର ଦୋଦ୍ଦାମଣି କହିଛନ୍ତି, ଏଡସ୍ ପାଣି ଯୋଗେ ବ୍ୟାପେ ନାହଁ ବୋଲି ଆମେ ଲୋକଙ୍କୁ ବହୁତ ବୁଝାଇଛୁ । ହେଲେ ସେମାନେ ଏହା ଶୁଣିବାକୁ ନାରାଜ । ସେଥିପାଇଁ ବାଧ୍ୟ ହୋଇ ପାଣି ନିଷ୍କାସନ କରାଯାଉଛି ।