ନୂଆଦିଲ୍ଲୀ,(ଏଟିଆର ବ୍ୟୁରୋ): ଘାରିଲା ଆତଙ୍କବାଦୀ ଭୟ । ନିଜ ଚାକିରିରୁ ଇସ୍ତଫା ଦେବାକୁ ଅଣ୍ଟା ଭିଡିଲେ ସୁରକ୍ଷା କର୍ମୀ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି ଘଟଣା ଘଟିଛି ଜମ୍ମୁ-କାଶ୍ମୀରରେ କାର୍ଯ୍ୟରତ ସୁରକ୍ଷା କର୍ମୀଙ୍କ କ୍ଷେତ୍ରରେ । ଆଜି ୩ଜଣ ପୁଲିସ କର୍ମଚାରୀଙ୍କୁ ଆତଙ୍କବାଦୀ ହତ୍ୟା କରିବା ପରେ ଏବେ ଇସ୍ତଫା ମୂହାଁ ହୋଇଛନ୍ତି ସୁରକ୍ଷା କର୍ମୀ ।
ତେବେ ୬ଜଣ ଏସପିଓ ଭିଡିଓ ବାର୍ତ୍ତା ଜରିଆରେ ଇସ୍ତଫା ଦେଇଥିବା ସୂଚନା ମିଳିଛି । ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରାଯାଇଛି କି’ ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ରିପୋର୍ଟ ଅନୁସାରେ, ଆତଙ୍କବାଦୀମାନେ ହତ୍ୟା କରିଥିବା ପୁଲିସ କର୍ମଚାରୀଙ୍କୁ ପୂର୍ବରୁ ଇସ୍ତଫା ଦେବା ଲାଗି ଚେତାବନୀ ଦିଆଯାଇଥିଲା । ହେଲେ ଏହାକୁ ବେଖାତିର କରିଥିବା ଯୋଗୁଁ ସେମାନଙ୍କୁ ହତ୍ୟା କରାଯାଇଥିବା ଆତଙ୍କବାଦୀମାନେ ଯୁକ୍ତି ବାଢ଼ୁଛନ୍ତି । ଗତ ମଙ୍ଗଳବାର ଆତଙ୍କବାଦୀ ସଂଗଠନ ପକ୍ଷରୁ ଏକ ଭିଡ଼ିଓ ଜାରି କରାଯାଇଥିଲା ।
ଯେଉଁଥିରେ ଖାସ କରି ଏସପିଓମାନଙ୍କୁ ଚାକିରି ଛାଡିବାକୁ ଚେତାବନୀ ଦିଆଯାଇଥିଲା । ଯଦି କେହି ଚାକିରି ନଛାଡିବେ ତାଙ୍କୁ ହତ୍ୟା କରାଯିବ ବୋଲି ସଂଗଠନ ଧମକ ଦେଇଥିଲା । ଏଥିପାଇଁ ମାତ୍ର ୪ଦିନର ସମୟ ଦିଆଯାଇଥିଲା । ସେପଟେ ଶୁକ୍ରବାର ଆତଙ୍କବାଦୀମାନେ ହତ୍ୟା କରିଥିବା ପୁଲିସ କର୍ମଚାରୀମାନେ ହେଲେ କନଷ୍ଟେବଳ ନିସାର ଅହମ୍ମଦ ଓ ୨ସ୍ପେଶାଲ ଅଫିସର ଫିରଦୋସ ଅହମଦ ଏବଂ କୁଲୱନ୍ତ ସିଂହ ।