ଉତ୍ତରପ୍ରଦେଶ (ଏଟିଆର ବ୍ୟୁରୋ ) ; ପୁଣି ଖସି ପଡିଲା ବାୟୁସେନାର ବିମାନ । ଭାରତୀୟ ବାୟୁସେନାର ଏମଏଲ – ୧୩୦ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଭୁପୃଷ୍ଠକୁ ଖସି ପଡିଛି । ଏଭଳି ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ବାଗପତ ଜିଲ୍ଲାର ବିନୌଲିରେ ଘଟିଛି । ଗାଜିଆବାଦର ହିଣ୍ଡନ ଏୟାରବେସରୁ ବାୟୁସେନାର ଏମଏଲ -୧୩୦ ବିମାନ ଉଡାଣ ଭରିଥିବାର କିଛି ବାଟ ଯିବା ପରେ ବିନୌଲି ଠାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏଥିରେ ଦୁଇଜଣ ପାଇଲଟ ଯାତ୍ରା କରିଥିବାବେଳେ ସେମାନେ ସୁରକ୍ଷିତ ଥିବା ଜଣାପଡିଛି ।
ଖବର ଅନୁସାରେ, ଆଜି ସକାଳ ୧୦ ଟା ସମୟରେ ବାୟୁସେନାର ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇ ଆକାଶରୁ ତଳକୁ ଖସି ପଡିଥିଲା । ସ୍ଥାନୀୟ ଗ୍ରାମବାସୀ ଏହାକୁ ଦେଖି ଆତଙ୍କିତ ହୋଇଯାଇଥିଲେ । ଖବର ପାଇ ଘଟଣାସ୍ଥଳେ ପୋଲିସ ଓ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଏୟାର ଫୋର୍ସ ଡେ ପାଇଁ ବାୟୁସେନାର ପ୍ରସ୍ତୁତି ଚାଲିଥିବା ଏଭଳି ଦୁର୍ଘଟଣା ଘଟିଛି । ଅନ୍ୟପଟେ ଘଟଣାର ତଦନ୍ତ କରିବାକୁ ବାୟୁସେନା ନିର୍ଦ୍ଦେଶ ଦେଇଥିବା ବେଳେ ସ୍ଥାନୀୟ ପ୍ରଶାସନ ଓ ବାୟୁସେନାର ବରିଷ୍ଠ ଅଧିକାରୀ ଘଟଣା ସ୍ଥଳେ ପହଞ୍ଚି ବିମାନର ପାଇଲଟ ଠାରୁ ଏହି ଦୁର୍ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି । ତେବେ ବାରମ୍ବାର ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ ହେଉଥିବା ବେଳେ ଏବେ ଏହାକୁ ନେଇ ଉଠିଛି ପ୍ରଶ୍ନ । ଚଳିତ ବର୍ଷ ବାୟୁସେନାର ୫ ଟି ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇସାରିଥିବା ବେଳେ ଏହାର ତଦନ୍ତ ଆବଶ୍ୟକତା ଜରୁରୀ ହୋଇପଡିଛି ।