ବ୍ରହ୍ମପୁର,(ଏଟିଆର ବ୍ୟୁରୋ): ଗୋପାଳପୁର ଥାନା ନୂଆଗୋଳବନ୍ଧ ଅଞ୍ଚଳରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଜଣେ ବ୍ୟକ୍ତିଙ୍କ ତଣ୍ଟିକୁ ଅତି ଅମାନୁଷିକ ଭାବେ କାଟି ଦେଇଛନ୍ତି ଦୁର୍ବୃତ୍ତ । ତେବେ କିଏ ଓ କାହିଁକି ଏଭଳି କାଣ୍ଡ ଭିଆଇଲା ତାହା ଏଯାବତ ସ୍ପଷ୍ଟ ହୋଇନାହିଁ । ତେବେ ଶୁଣିବାକୁ ମିଳୁଛି ସ୍ଥାନୀୟ ଅଞ୍ଚଳରେ କେତେକ ଯୁବକଙ୍କ ସହ ବଚସା କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି । ପୁଲିସ ମୃତଦେହକୁ ଜବତ କରି ସାଇଣ୍ଟିଫିକ ଟିମ ସହାୟତାରେ ଘଟଣାର ଖୋଳତାଡ ଆରମ୍ଭ କରିଛି ।
ମୃତ ବ୍ୟକ୍ତି ନୟାଗଡ ଅଞ୍ଚଳର କୈଳାଶ ପ୍ରଧାନ ବୋଲି ସୂଚନା ମିଳିଛି । ରିପୋର୍ଟ ଅନୁସାରେ, କୈଳାଶ ପ୍ରତ୍ୟେକ ବର୍ଷ କାର୍ତ୍ତୀକମାସର ଏକମାସ ପୂର୍ବରୁ ଗୋଳାବନ୍ଧ ଠାରେ ଥିବା ଶୈବ ପୀଠକୁ ଆସନ୍ତି । ଏଠାରେ ରହି ଭିକ୍ଷା ବୃତ୍ତି କରି ପୁଣି ଘରକୁ ଫେରିଯାଆନ୍ତି । ତେବେ ଶୁଣିବାକୁ ମିଳୁଛି ଗତକାଲି ରାତିରେ କୈଳାଶଙ୍କୁ ସ୍ଥାନୀୟ ଅଞ୍ଚଳର କେତେକ ଯୁବକ ଡାକି ନେଇ ମଦ ପିଇଥିଲେ । ସେଠାରେ କୌଣସି କଥାକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଯାହା ଶେଷରେ ଉଗ୍ରରୂପ ନେଇଥିଲା ।
ସବୁଦିନ ଲାଗି କୈଳାଶଙ୍କୁ ରାସ୍ତାରୁ ହଟାଇଦେବାକୁ ଯୋଜନା କରିଥିଲେ ଦୁର୍ବୃତ୍ତ । ଠିକ ସେଇଆ ହିଁ ହେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଛପଟୁ ନେଇ ଅତି ଅମାନୁଷିକ ଭାବେ ତାଙ୍କ ତଣ୍ଟିକୁ କାଟି ଦିଆଯାଇଥିଲା । ଘଟଣାସ୍ଥଳରେ ହିଁ କୈଳାଶଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ଗୋପାଳପୁର ଥାନା ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁସାରେ ହତ୍ୟାକାରୀଙ୍କୁ ଠାବ କରି ସାରିଛି ପୁଲିସ । ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବା ନେଇ ସୂଚନା ମିଳିଛି ।