ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଯେଉଁଠି ପାରିଲେ ମନ ଇଚ୍ଛା ଖୋଳି ପକାଇଲେ । ତା’ ପରର ଅବସ୍ଥା କ’ଣ ହେବ କେହି ବି ଚିନ୍ତା କଲେ ନାହିଁ । ଯାହା ପାଇଁ ଏବେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ସାଧାରଣ ଲୋକ । ଖାଲି ନାକରେ ସିନା କାନ୍ଦୁଛନ୍ତି ହେଲେ ଗୁହାରି କରିବେ କାହାକୁ ଜାଣି ପାରୁନାହାନ୍ତି । ଏହାକୁ ନେଇ ଏବେ ଧୀରେ ଧୀରେ ଅସନ୍ତୋଷ ତେଜିବାରେ ଲାଗିଛି । ତୁରନ୍ତ ସମସ୍ୟାର ସମାଧାନ ନହେଲେ ଆଗକୁ ଏହା ଆନ୍ଦୋଳନର ରୂପ ନେବ ବୋଲି ଚେତବନୀ ଦିଆଯାଇଛି ।
ଆମେ କହୁଛୁ ଟେଲିଫୋନ ଲାଇନ ଆଳରେ ଖୋଳାଯାଇଥିବା ବିଭିନ୍ନ ରାସ୍ତା କଥା । ଯାହା ଏବେ ଲୋକଙ୍କୁ ନାକେଦମ କଲାଣି । କିଏ ଗାତରେ ପଡି ଖଣ୍ଡିଆ ଖାବରା ହେଲାଣି ତ’ ଆଉ କାହାର ଗାଡି ମୋଟର ଭାଙ୍ଗିଲାଣି । ଏଭଳି ଏକ ଦୃଶ୍ୟ ବୁଧବାର ଦେଖିବାକୁ ମିଳିଛି ନୟାପଲ୍ଲୀର ଆଇଆରସି ଅଞ୍ଚଳରେ । ରାସ୍ତା ଖୋଳି ଏହାର ଉଚିତ୍ ବ୍ୟବସ୍ଥା କରାଯାଇନଥିବାରୁ ସେଥିରେ ଏକ କାର ଫସି ଯାଇଥିଲା । ଯଦିଓ ଭାଗ୍ୟଭଲ ସେଥିରେ ଡ୍ରାଇଭର ବ୍ୟତିତ ଆଉ କେହି ନଥିଲେ କିନ୍ତୁ ଯଦି କିଛି କ୍ଷତି ହୋଇଥାନ୍ତା ତେବେ ସେଥିପାଇଁ ଦାୟୀ କିଏ ରହିଥାନ୍ତା ବୋଲି ଏବେ ପ୍ରଶ୍ନ ଉଠିଛି ।
ଅଭିଯୋଗ ହୋଇଛି, ଦିନେ କି’ ଦୁଇଦିନ ନୁହେଁ ଗଲା ମାସେ ହେବ ଏହି ରାସ୍ତା ଖୋଳାଯାଇଛି । ଏୟାରଟେଲ ଟେଲିକମ ପକ୍ଷରୁ ଖୋଳାହୋଇଥିବା ରାସ୍ତାଟିର କିନ୍ତୁ ସଠିକ ବ୍ୟବସ୍ଥା କାରଯାଇନାହିଁ । ଖାଲି ଉପରେ ମାଟି ପକାଇ ନିଜ ଦୋଷ ଛଡାଇ ଦେଇଛି ସଂସ୍ଥା । ଫଳରେ ରାସ୍ତାରେ ଯାଉଥିବା ବାଇକ ଖଣ୍ଡେ ବି ମାଟି ତଳେ ଦବି ଯାଉଛି । ରିପୋର୍ଟ କହୁଛି ଗତ ୪ଦିନ ଭିତରେ ଏହି କାରଣରୁ ୭ରୁ ଅଧିକ ଛୋଟମୋଟ ଦୁର୍ଘଟଣା ଘଟିଛି । ବାରମ୍ବାର ଦାବି ସତ୍ତେ୍ୱ କେହି ଶୁଣିବାକୁ ନାରାଜ । ଯଦି ଆଗକୁ ଏଭଳି ସମସ୍ୟା ଜାରି ରହେ ତେବେ ସ୍ଥାନୀୟ ଲୋକେ ହଙ୍ଗାମା କରିବାକୁ ପଛାଇବେ ନାହିଁ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।