ସୁନ୍ଦରଗଡ(ଏଟିଆର ବ୍ୟୁରୋ ) ; ପୁଣି ଭୁଷୁଡିଲା ବ୍ରିଜ । ଆହତ ହେଲେ ୨୦ ଜଣ ଶ୍ରମିକ । ଏଭଳି ଅଭାବନୀୟ ଘଟଣା ସୁନ୍ଦରଗଡ ଜିଲ୍ଲା କେ ବେଲାଙ୍ଗ ଥାନା ଜାମୁଡେହି କାଞ୍ଜିପାଣି ଅଞ୍ଚଳରେ । ନିର୍ମାଣାଧୀନ ବ୍ରିଜର କାମ ଚାଲୁଥିବା ସମୟରେ ହଠାତ ବ୍ରିଜଟି ଭୁଷୁଡିି ପଡିବା ଫଳରେ ପାଖାପାଖି ୨୦ ଜଣ ଶ୍ରମିକ ଅହତ ହୋଇଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣାପଡିଛି ।
ଅନ୍ୟପଟେ ଆହତ ଶ୍ରମିକ ମାନଙ୍କ ମଧ୍ୟରେ ମହିଳା ଶ୍ରମିକ ମଧ୍ୟ ରହିଛନ୍ତି । ସେ ସମସ୍ତ ଆହତ ମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ତେବେ କେଉଁ କାରଣରୁ ବ୍ରିଜଟି ଭୁଷୁଡି ପଡିଲା ତାହାର କାରଣ ଜଣାପଡିନାହିଁ । ସୂଚନା ଅନୁସାରେ , ଜାମୁଡେହି କାଞ୍ଜିପାଣି ଅଞ୍ଚଳ ଏକ ନକ୍ସଲ ପ୍ରବାବିତ ଅଞ୍ଚଳ । ସ୍ଥାନୀୟ ଅଞ୍ଚଳରେ ପାଖାପାଖି ୨୫ ରୁ ୩୦ ଜଣ ଶ୍ରମିକଙ୍କୁ ନେଇ ଏକ ବ୍ରିଜର କାମ ଜାରି ରହିଥିଲା । ତେବେ ଆଜି ହଠାତ ବ୍ରିଜଟି ଭୁଷୁଡି ଶ୍ରମିକ ମାନଙ୍କ ଉପରେ ପଡିଯାଇଥିଲା । ସେମାନଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ସ୍ଥାନୀୟ ବଣେଇ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ସ୍ୱାସ୍ଥ୍ୟ ଗୁରୁତର ହେବାରୁ ସେମାନଙ୍କୁ ଅନ୍ୟତ୍ର ଡାକ୍ତରଖାନାକୁ ପଠାଯାଇଛି । ସେପଟେ ବ୍ରିଜଟି ଭୁଷୁଡିବାକୁ ନେଇ ବିବାଦ ଦେଖାଯାଇଛି । ନିମ୍ନ ମାନର କାମ ହେଉଥିବା ଯୋଗୁ ବ୍ରିଜ ଭୁଷୁଡିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ତେବେ ତଦନ୍ତରୁ ସବୁ ସତ୍ୟ ଜଣାପଡିବ ବୋଲି ଅନୁମାନ କରାଯାଉଛି ।