ଭୁବନେଶ୍ୱର,୧୦ ।୨/(ବ୍ୟୁରୋ): ଘରର ଗୋଟିଏ କୋଣରେ ରକ୍ତ ଜୁଡୁବୁଡୁ ହୋଇ ପଡିଛି ନବଜାତ ଶିଶୁ ପୁତ୍ରର ଶବ । ଆଉ ଗୋଟିଏ ପଟେ ମା’ ବୁଲି ପାତ୍ର ଲୁଚୁଛି । ସାହିପଡିଶାଙ୍କ ସନ୍ଦେହ ହେବାରୁ ସେମାନେ ଘର ଭିତରକୁ ଯାଇ ଦେଖିଲେ ତାହା ଯେତିକି ହୃହୟବିଦାରକ ସେତିକି ନିନ୍ଦନୀୟ ମଧ୍ୟ । ଖବର ପାଇ ନୟାପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ନବଜାତ ଶିଶୁପୁତ୍ରର ମୃତ ଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା । ସେହିପରି ମା’ ବୁଲିର ସ୍ୱାସ୍ଥ୍ୟବସ୍ଥା ପାରମ୍ଭିକ ଭାବରେ ଭଲ ନଥିବାରୁ ପୁଲିସ ତାଙ୍କୁ ମଧ୍ୟ କ୍ୟାପିଟାଲ ହସ୍ପିଟାଲ ନେଇ ଚିକିତ୍ସା କରାଇଥିଲା ।
ଆଜି ସକାଳୁ ଏହି ଶିଶୁଟିକୁ ସେ ଜନ୍ମ ଦେଇଥିବା କହିଥିଲେ । ଏପରିକି ଏହି ଶିଶୁଟି ମୃତ ହୋଇ ଜନ୍ମ ହୋଇଥିବାରୁ ସେ ଏହାକୁ ଫୋପାଡି ଦେଇଥିବା ପୁଲିସକୁ କହିଥିଲେ । ବୁଲିଙ୍କ ସ୍ୱାମୀ ଏଠାରେ ରହୁନଥିବା ବେଳେ ସେ ତାଙ୍କ ଛୋଟ ଝିଅକୁ ନେଇ ରହୁଛନ୍ତି । ସେହିପରି ସେ ଏଠାରେ ଦିନ ମଜୁରିଆ ଭାବରେ କାମ କରୁଛନ୍ତି । ବୁଲିଙ୍କ ସ୍ୱାମୀ ଚେନ୍ନାଇରେ ରହୁଥିବା ଓ ଏଠାକୁ ପ୍ରାୟ ବର୍ଷେ ହେବ ଆସୁନଥିବା ପୁଲିସ ପଚରାଉଚରାରୁ ଜାଣବାକୁ ପାଇଥିଲା । ଯାହାକୁ ନେଇ ଏହି ପିଲା ଜନ୍ମ ଉପରେ ସନ୍ଦେହ ସୃଷ୍ଟି ହୋଇଛି ।
ସେହିପରି ବୁଲି ମଧ୍ୟ ଏହି ପିଲା ଜନ୍ମ ନେଇ ଚୁପ୍ ରହିଛନ୍ତି । ପିଲାଟି ଜନ୍ମ ହେବା ପରେ ଲୋକଲଜ୍ଜ୍ୟାକୁ ଏଡାଇବା ପାଇଁ ସେ ଏହାକୁ ହତ୍ୟା କରିଥିବା ଆଲୋଚନା ହେଉଛି । ସେ ଯାହା ହେଉନା କାହିଁକି ଏକ ନବଜାତ ପୁତ୍ରକୁ ଏପରି ଫୋପାଡି ଦେବା ଗୋଟିଏ ମା’ ପାଖରେ କେତେ ଦୂର ଯୁକ୍ତିଯୁକ୍ତ ତାହା ହିଁ ପ୍ରଶ୍ନ ଉଠାଇଛି ।
ମାତୃତ୍ୱ ପାଇଁ ଅନେକ ଲୋକ କେତେ ଠାକୁରଙ୍କ ଠାରୁ ଆରମ୍ବ କରି ମେଡିକାଲ୍ ସାଇନ୍ସର ବ୍ୟବହାର କରୁଥିବା ବେଳେ ଆଜିର ଏପରି ଚିତ୍ର ସମାଜର ଏକ ଭିନ୍ନ ଦିଗକୁ ଲୋଚଲୋଚନକୁ ଆଣିଛି । କିଏ ଦେବ ଏହି ନବଜାତ ଶିଶୁପୁତ୍ରର ବାପାର ପରିଚୟ? ଏହି କାରଣରୁ ଏହି ଶିଶୁର ମୃତ୍ୟୁ ହୋଇ ନାହିଁ ତ ଏହାକ ଏବେ ବି ରହସ୍ୟ ଘେରରେ ।