ଭୁୁବନେଶ୍ୱର,୧୦ା୨/(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ୍ ପାଣ୍ଡିଆନଙ୍କ କ୍ୱାର୍ଟର୍ସ ଭିତରକୁ ଶନିବାର ବିଜେପି କର୍ମୀ ଧସେଇ ପଶି ଭଙ୍ଗାରୁଜା କରିବା ଘଟଣାରେ କମିଶନରେଟ୍ ପୁଲିସ୍ ୪ଜଣ ବିଶୃଙ୍ଖଳାକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି । ଗିରଫ ବିଜେପି କର୍ମୀ ହେଲେ ଯୁଗଜୌତି ସ୍ୱାଇଁ, ରଶ୍ମୀରଞ୍ଜନ ମୁଦୁଲି, ବିଭୁତୀଭୁଷଣ ପୃଷ୍ଟି ଓ ବିଶ୍ୱରଞ୍ଜନ ବଡ଼ଜେନା ଓରଫ ଲୁଲୁ ।
ଘଟଣା ସମ୍ପର୍କରେ ଶ୍ରୀ ପାଣ୍ଡିଆନଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଦୁଶ୍ମନ୍ତ କୁମାର ଦାଶ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍ ଏହାକୁ ଭିତ୍ତି କରି ଦଫା ୧୪୭, ୧୪୮, ୧୪୯, ୨୯୪, ୪୫୨, ୩୨୩, ୩୫୩, ୪୨୭, ୩୦୭, ୫୦୬ ଓ ୧୨୦ (ବି)ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅନ୍ୟ ଆନ୍ଦୋଳନକାରୀଙ୍କୁ ଧରିବା ପାଇଁ ପୁଲିସ୍ ତନାଘନା ଚଳାଇଛି । ଅନ୍ୟପଟରେ ପୁଲିସ୍ କମିଶନର ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି, ଏହା ଏକ ନିନ୍ଦନୀୟ ଘଟଣା । ଜଣେ ପବ୍ଲିକ୍ ସର୍ଭେଣ୍ଟ୍ କୁଂ ଟାର୍ଗେଟ କରିବା ବିଲକୁଲ ଉଚିତ୍ ନୁହେଁ । ଖବର ପାଇବା ମାତ୍ରେ ପୁଲିସ୍ ଯଥାଶୀଘ୍ର ପହଚିଂ ଘଟଣାସ୍ଥଳରୁ ୪ଜଣ ବିଶୃଙ୍ଖଳାକାରୀଙ୍କ ଗିରଫ କରିଛି । ଯୋଉମାନେ ଏଥିରେ ସଂପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।
ଦୁଶ୍ମନ୍ତଙ୍କ ଅଭିଯୋଗ ଅନୁଯାୟୀ, ଆଜି ଅପରାହ୍ନରେ ସେ ଶ୍ରୀ ପାଣ୍ଡିଆନ୍ କଂ କ୍ୱାର୍ଟର୍ସରେ ଡ୍ୟୁଟିରେ ଥିବା ବେଳେ ବିଜେପି କର୍ମୀ ବାସଭବନ ମୁଖ୍ୟ ଫାଟକ ପାଟେ ଧସେଇ ପଶିଥିଲେ । ସେମାନଙ୍କୁ ଅଟକେଇବାରୁ ଆନ୍ଦୋଳନକାରୀ ତାଙ୍କୁ ଠେଲାପେଲା କରିବା ସହ ପେଟକୁ ଗୋଇଠା ମିରିଥିଲେ । ପରେ ଆନ୍ଦୋଳନକାରୀ କ୍ୱାର୍ଟର୍ସରେ ଧସେଇ ପଶିବା ସହ ପରିସରରେ ଥିବା ଗାଡିଗୁଡିକୁ ଭଙ୍ଗାରୁଜା କରିଥିଲେ । ସେତିକିରେ ସେମାନଙ୍କ ମନ ଶାନ୍ତି ହୋଇନଥିଲା । ଗେଟ୍ ଭିତରେ ଥିବା ଫୁଲକୁଣ୍ଡ ଭାଙ୍ଗିବା ସହ ଗୋବର ଛାଟିଥିଲେ । କିଛି ଆନ୍ଦୋଳନକାରୀ ଗେଟ୍ ଉପରେ ଚଢ଼ି ବିଜେପି ପତକା ଉଡାଇବା ସହ ସରକାର ବିରୋଧରେ ବିଭିନ୍ନ ସ୍ଲୋଗାନ୍ ଦେଇଥିଲେ ।
ଖବର ପାଇ କମିଶନରେଟ୍ ପୁଲିସ୍ ପହଚିଂ ଆନ୍ଦୋଳନକାରୀ କୁଂ ଘଉଡାଇବାକୁ ପ୍ରୟାସ କରିଥିଲା । ଏହିସମୟରେ ଉଭୟଙ୍କ ମଧ୍ୟ ଠେଲାପେଲା ଓ ହାତାହାତି ହୋଇଥିଲେ । ଆଇନ୍ ଶୃଙ୍ଖଳା ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ୍ ଆନ୍ଦୋଳନକାରୀଙ୍କୁ ଗିରଫ କରିଥିଲା । ଆନ୍ଦୋଳନକାରୀ ଜଣେ ପୁଲିସ୍ ଏସ୍ଆଇ ଓ ଜଣେ କନଷ୍ଟେବଳଙ୍କୁ ଘଟଣାସ୍ଥଳରୁ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି ।