ନୟାଗଡ (ଏଟିଆର ବ୍ୟୁରୋ) ; ବହୁ ଦିନ ଧରି ହୋଟେଲରେ ଚାଲିଥିଲା ଅନୈାତିକ କାର୍ଯ୍ୟ । ବିଶେଷ ସୂତ୍ରରୁ ଖବର ପାଇବା ପରେ ହୋଇଥିଲା ଚଢ଼ାଉ । ଶେଷରେ ହୋଟେଲ ମାଲିକ ଥାନାକୁ ଯାଇଥିଲେ । ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ନୂଆଗାଁ ଅଞ୍ଚଳରେ । ସୂଚନା ମୁତାବକ ଖୋର୍ଦ୍ଦା ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥକୁ ଲାଗି ରହିଥିବା ନୂଆଗାଁ ଅଞ୍ଚଳର ଦୁଇ ବଡ ଢ଼ାବା ମାମା ଏବଂ ଜନପଥରେ ଚାଲିଥିଲା ଅନୈତିକ ମଦ କାରବାର । କାଉଣ୍ଟର ବନ୍ଦ ହେବା ପରେ ଏଠାରେ ମିଳୁଥିଲା ଚଢ଼ାଦରରେ ମଦ । ତେବେ ଏହି ଖବର ପାଇବା ପରେ ଗତକାଲି ରାତିରେ ନୟାଗଡ ଏସଡିପିଓଙ୍କ ଅଧ୍ୟକ୍ଷତାରେ ଗୋଟିଏ ଟିମ ଦୁଇ ହୋଟେଲରେ ଚଢ଼ାଉ କରିଛି ।
ଚଢ଼ାଉ ବେଳେ ମାମା ଢ଼ାବାରେ ସର୍ବାଧିକ ୨୯ ଲିଟର ବିଦେଶୀ ମଦ ମିଳିଥିବା ବେଳେ ଜନପଥ ହୋଟେଲରୁ ୧୨ ଲିଟର ମଦ ମିଳିଥିଲା । ଉ଼ାର ହୋଇଥିବା ମଦକୁ ଜବତ କରିବା ସହ ମାମା ଢ଼ାବା ମାଲିକ ପ୍ରମୋଦ ପ୍ରଧାନ (ମଢ଼ି) ଏବଂ ଜନପଥ ହୋଟେଲର ମାଲିକ ପାଣୁଚରଣ ସାହୁଙ୍କୁ( ପାଣୁଆ) ଗିରଫ କରି ନୂଆଗାଁ ଥାନାକୁ ହସ୍ତାନ୍ତର କରିଛନ୍ତି ଏସଡିପିଓ । ଏହି ଦୁଇ ମାଲିକଙ୍କ ନାଁରେ ଦୁଇଟି ମାମଲା ରୁଜୁ କରିଛନ୍ତି ନୂଆଗାଁ ଥାନା ଆଇଆଇସି । ତେବେ ଏମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦିଆଯାଇଛି ।