ବ୍ରହ୍ମପୁର,(ଏଟିଆର ବ୍ୟୁରୋ): ପୁଣି ବ୍ରହ୍ମପୁର ଅଞ୍ଚଳରେ ଘଟିଛି ଏକ ହତ୍ୟାକାଣ୍ଡ । ଜଣେ ବ୍ୟକ୍ତିଙ୍କୁ ଗୋଡାଇ ଗୋଡାଇ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ତାଙ୍କ ନାଁ ରାଜେନ୍ଦ୍ର ପରିଡା ଓରଫ ଜିତୁ, ଘର କୋଦଳା ଥାନା ଅନ୍ତର୍ଗତ ମଠସରସିଙ୍ଗି ଗାଁରେ । ପୁଲିସ ମୃତଦେହକୁ ଜବତ କରି ଘଟଣାର ଖୋଳତାଡ ଆରମ୍ଭ କରିଛି । ପୂରା ଘଟଣା ପଛରେ ପୂର୍ବ ଶତ୍ରୁତା ରହିଥିବା ସୂଚନା ମିଳିଛି ।
ତେବେ ହତ୍ୟାକାରୀମାନେ କିଏ ସେନେଇ ଯଦିଓ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ତଥାପି ଏହି କାଣ୍ଡରେ ୪ଜଣଙ୍କ ସମ୍ପୃକ୍ତି ଥିବା ପୁଲିସ ଜାଣିବାକୁ ପାଇଛି । ଏତିକି ନୁହେଁ ଏହି ହତ୍ୟାକାଣ୍ଡର ଚେର ରାଜ୍ୟ ବାହାରକୁ ମଧ୍ୟ ଲମ୍ବିଥିବା ପୁଲିସକୁ ଭିତିରି ସୂଚନା ମିଳିଛି । ସୂଚନା ଆଧାରରେ ତଦନ୍ତ ଜାରି ରହିଥିବା ଜଣେ ବରିଷ୍ଠ ଅଧିକାରୀ ନିଜ ନାମକୁ ଗୋପନ ରଖି ସୂଚନା ଦେଇଛନ୍ତି । ପୁଲିସ ରିପୋର୍ଟ ଅନୁସାରେ, ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ଜ୍ୟୋତି ଗାଁ ଛକ ପାଖକୁ ଚା’ ପିଇବା ଲାଗି ଯାଇଥିଲେ ।
ତେବେ ଛକରେ ପହଞ୍ଚିବା କ୍ଷଣି ଅଚାନକ ୨ଟି ବାଇକରେ ୪ଜଣ ଦୁର୍ବୃତ୍ତ ମଧ୍ୟ ସେଠାରେ ପହଞ୍ଚିଥିଲେ । କିଛି ବୁଝିବା ସୁଝିବା ପୂର୍ବରୁ ସେମାନେ ଅଚାନକ ଜ୍ୟୋତିଙ୍କ ଉପରକୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ଜୀବନ ବିକଳରେ ଜ୍ୟୋତି ଦୌଡି ଯାଇ ଏକ ସିମେଣ୍ଟ ଦୋକାନ ଭିତରେ ପଶି ସର୍ଟର ଦେବାକୁ ଯାଉଥିବା ବେଳେ ଦୁର୍ବୃତ୍ତମାନେ ଅନ୍ଧାଧୂନ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ୫ଟି ଗୁଳି ରାଜେନ୍ଦ୍ରଙ୍କ ଦେହରେ ବାଜିଥିବା ଜଣାପଡିଛି । ଗୁଳିମାଡ଼ରେ ଘଟଣାସ୍ଥଳରେ ହିଁ ରାଜେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା । ଏଠାରେ ପ୍ରକାଶ ଥାଉକି ରାଜେନ୍ଦ୍ର ସୁରଟରେ କାମ କରୁଥିବା ବେଳେ ୧୫ଦିନ ହେବ ସେ ଗାଁକୁ ଆସିଥିଲେ ।