ଭୁବନେଶ୍ୱର,୧୪ା୨(ବ୍ୟୁରୋ): କିଏ ସେହି କନଷ୍ଟେବଳ । ଯିଏ ମନକୁ ମନ ଭାବି ନେଇଛନ୍ତି ଜଣେ ଏସ୍ଆଇ । ଏ କଥା ଆମେ ନୁହେଁ କୁହାକୁହି ହେଉଛନ୍ତି ଖୋଦ୍ ଥାନା କର୍ମଚାରୀ । ପୂର୍ବରୁ ଏହି କନଷ୍ଟେବଳଙ୍କୁ ବାଲିଅନ୍ତା ଥାନାକୁ ବଦଳି ହୋଇଥିଲା । ହେଲେ କନଷ୍ଟେବଳ ଜଣକ ଯିବାକୁ ନାରାଜ୍ । ବଡ଼ବାବୁଙ୍କୁ ସାଲିସ କରି ଜଗି ବସିଲେ ନିଜ ଗାଦିକୁ । ମଝିରେ ତାଙ୍କ ସ୍ଥାନରେ ଜଣେ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା ।
ହେଲେ କନଷ୍ଟେବଳଙ୍କ ଏତେ ତାକତ ଯେ ବଡବାବୁଙ୍କୁ ହାତ କରି ନିଜ ଆସ୍ଥାନକୁ ବେଶ ମଜୁବତ କରିଦେଲେ । ରେକର୍ଡ କହୁଛି ଢ଼େରଦିନ ହେଲାଣି ସେ ଗୋଟିଏ ଥାନାରେ ପଡି ରହିଛନ୍ତି । ଯିବାକୁ ନାଁ ଧରୁ ନାହାନ୍ତି । ସବୁଠୁ ବଡ଼ କଥା ହେଉଛି ଏହି କନଷ୍ଟେବଳଙ୍କ ଚେର ବି ବହୁତ ଲମ୍ବା । ଜଣେ ବାର ମାଲିକଙ୍କ ପାଖରୁ ୧୭ହଜାର ଟଙ୍କା ପକାଇ ଦେଇଛନ୍ତି ଏହି କନଷ୍ଟେବଳ । ସତ୍ୟନଗର ଅଂଚଳରେ ତାଙ୍କର ଏକ ଚେଲା ରହିଛି । ଯିଏ କି ସବୁ ଡିଲ କରୁଛି । ନିକଟରେ ଏକ ସରକାରୀ କ୍ୱାଟରକୁ ନେଇ ବେଶ୍ ଡେଉଁଥିଲେ ଏହି କନଷ୍ଟେବଳ ଜଣଙ୍କ । କାଳେ ହାତରୁ ତାଙ୍କ କ୍ୱାଟର ପଳାଇବ ସେନେଇ ଚିନ୍ତାରେ ବି ପଡିଥିଲେ । ହେଲେ ଭାଗ୍ୟ ତାଙ୍କ ସାଥ ଦେଲା । ବଦଳି ରୋକିଗଲା । ଆଉ ପୁଣି ତାଙ୍କ ରାଜୁତି ଚାଲିଲା ।
ଧୋବା ଫରଫର ଦେଖାଯାଉଥିବା ଏହି କନଷ୍ଟେବଳଙ୍କ କଳାକାରନାମା ରାଜ ରାସ୍ତାରେ ଗଡୁଛି । ର୍ଦୁଭାଗ୍ୟ ବଡ଼ ବାବୁଙ୍କ ନଜର କିନ୍ତୁ ପଡୁନି । ଫଳରେ ଖଟୁଳି ଖାଇ ଠାକୁର ଖାଇବାକୁ ବସିଲେଣି ରାଇଟର ସେକ୍ସନରେ କାମ କରୁଥିବା ଏହି କନଷ୍ଟେବଳ । ତୁରନ୍ତ ତାଙ୍କୁ ବଦଳି କରିବାକୁ ଖୋଦ୍ ଥାନା କର୍ମଚାରୀ ବି କୁହାକୁହି ହେଉଛନ୍ତି । ସବୁଠୁ ବଡ଼ କଥା ହେଉଛି ଥାନାକୁ ଆସୁଥିବା ସମସ୍ତ ଅଭିଯୋଗକାରୀଙ୍କୁ ନିଜ ଆଡକୁ ଟାଣି କ’ଣ ହୋଇଛି ବୋଲି ପଚାରି ନିଜ ପକେଟ୍ ବେଶ ଗରମ କରନ୍ତି ଏହି କନଷ୍ଟେବଳ । ବିଭାଗୀୟ ଅଧିକାରୀ ଏହା ଉପରେ ନଜର ଦେବାକୁ ଦାବି ଜୋର ଧରିଛି ।