ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବାହାଘର ଟ୍ରାକରେ ବଲିଉଡ୍ । ପ୍ରଥମେ ଦୀପଭୀର୍ ତାପରେ ପିସିନିକ୍ ଏବେ କମେଡି କିଙ୍ଗ୍ କପିଲ୍ ଶର୍ମା ତାଙ୍କ ଗର୍ଲଫ୍ରେଣ୍ଡ ଗିନି ଚତରଥଙ୍କୁ ସାତଜନ୍ମର ସାଥୀ କରିବାକୁ ଯାଉଛନ୍ତି । ସମ୍ପୂର୍ଣ୍ଣ ହିନ୍ଦୁ ରିତୀ ନିତୀ ଅନୁଯାୟୀ ଜଳନ୍ଧର ପାଖାପାଖି କବାନା ସ୍ପା ଆଣ୍ଡ ରିସର୍ଟରେ କପିଲଙ୍କ ବାହାଘର ହେଉଛି । ଏହି ବାହାଘରରେ ଦୁଇଟି ପରିବାରର ସଦସ୍ୟଙ୍କ ସହିତ କଣ୍ଠଶିଳ୍ପୀ ଗୁରଦାସ ମାନ, ଦଲେର ମେହନ୍ଦୀଙ୍କ ସମେତ ପାଖାପାଖି ୮୦୦ ଅତିଥି ସାମିଲ ହେବାର ସୂଚନା ମିଳିଛି ।
ଏହି ବାହାଘର ପାଇଁ ଦୁଇଦିନ ପୂର୍ବରୁ ରଶମ ଆରମ୍ଭ ହୋଇଯାଇଛି । ଏହାସହିତ କପିଲ ତାଙ୍କ ବାହାଘର ଭୋଜିରେ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହି ଭୋଜିରେ ଆମିଷ ଏବଂ ନିରାମିଷ ଉଭୟ ଖାଦ୍ୟ ରହିଛି । ପଞ୍ଜବୀ ଫୁଡ୍ ବ୍ୟତୀତ ୧୦୦ ରୁ ଅଧିକ ଡିସ୍ ପରୋଶା ଯିବ । ଅନ୍ୟପଟେ ସେ ତାଙ୍କ ପ୍ରଥମ ରିସେପସନ୍ ପାର୍ଟି ଡିସେମ୍ବର ୧୪ ଅମୃତସରରେ ରଖିଥିବା ବେଳେ ଦ୍ୱିତୀୟ ପାର୍ଟିଟି ଡିସେମ୍ବର ୨୪ ମୁମ୍ବାଇରେ ରଖିଛନ୍ତି । ସେ ତାଙ୍କ ବାହାଘରରେ ବଲିଉଡ୍ ଇଣ୍ଡଷ୍ଟ୍ରିର ବହୁ ନାମୀଦାମୀ କଳାକାରଙ୍କୁ ନିମନ୍ତ୍ରଣ କରିଛନ୍ତି ।
କପିଲ ଶର୍ମାଙ୍କ କେ୯ ୟୁଟ୍ୟୁବ୍ ଚ୍ୟାନେଲ ଜରିଆରେ ତାଙ୍କ ବାହାଘରର ଲାଇଭ୍ ଦେଖିପାରିବେ ଦର୍ଶକ । ଯାହାର ଖୁଲାସା ନିଜେ କପିଲ୍ ସୋସିଆଲ ମିଡିଆରେ କରିଥିଲେ ।