କୁଆଁପାଳ, ୧୫ା୨/(ବ୍ୟୁରୋ): ଜାଗର ଲାଗି ସବୁଠି ଉତ୍ସବ ମୁଖର ଥିବା ବେଳେ କୁଆଁପାଳ ଅଞ୍ଚଳରେ ଏକ ଅଭାବନୀ ଘଟଣା ଘଟିଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଆତଙ୍କ ଖେଳିଯାଇଛି । ଜଣେ କି’ ଦୁଇଜଣ ନୁହେଁ ଶିବ ମନ୍ଦିରକୁ ଆସିଥିବା ୨୦ରୁ ଅଧିକ ଶ୍ରଦ୍ଧାଳୁ ଏବେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମନ୍ଦିର ପାଖରେ ଥିବା ଏକ ଉଠା ଦୋକାନରୁ ସରବତ ପିଇ ଲୋକଙ୍କ ଏଭଳି ଅବସ୍ଥା ହୋଇଥିବା ଜଣାପଡିଛି । ସମସ୍ତଙ୍କୁ ପ୍ରଥମେ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ପଠାଇ ଦିଆଯାଇଥିବା ଜଣାପଡିଛି । ମାହାଙ୍ଗା ବ୍ଳକ୍ ସନ୍ନିକଟ ରାଇସୁଙ୍ଗୁଡା ସ୍ୱପ୍ନେଶ୍ୱର ଶୈବ ପୀଠରେ ଏହି ଅଘଟଣ ଘଟିଛି ।ଏହି ଘଟଣାରେ ସାଲେପୁର ପୁଲିସ ସରବତ ବିକ୍ରି କରୁଥିବା ଦୋକାନୀ ପ୍ରଭାକର ରାଉତକୁ ଗିରଫ କରିିଛି ।
ଜାଗର ଲାଗି ରଞ୍ଜିତ ବେହେରା,ସୁକାନ୍ତ ବେହେରା, ପ୍ରଭାତ କୁମାର ବେହେରା, ସାଇସୃତୀ ପ୍ରିୟଦର୍ଶନୀ, ସାଇ ଶୁଭ ବେହେରା, ସରୋଜ ବେହେରା, ଅରୁଣ ବେହେରା, ମାମୁନି ବେହେରା, ରଞ୍ଜିତା ବେହେରା, ତିଳୋତ୍ତମା ବେହେରା, ସାବିତ୍ରୀ ବେହେରା, ସତ୍ୟମ୍ ବେହେରା, ସୋ÷ରଭଜିତ ଦାଶ, ରୂପା କାଣ୍ଡି, ଦୀପାଞ୍ଜଳୀ କାଣ୍ଡି, ଝରଣା ବେହେରା, ପିଙ୍କି କାଣ୍ଡି, ଗନ୍ତ ବେହେରା, କମଳା ଦାଶ, ସୋମ୍ୟରଞ୍ଜନ ଦାଶ ପ୍ରମୁଖ ପୂଜାର୍ଚ୍ଚନା କରିବାକୁ ଯାଇଥିଲେ । ସେମାନେ ସେଠାରେ ଏକ ଉଠା ସରବତ ଦୋନରୁ ସରବତ ପିଇଥିଲେ । ତେବେ ଘରକୁ ଫେରିବା ପରେ ଅଚାନକ୍ ସମସ୍ତଙ୍କ ଅବସ୍ଥା ବିଗିଡ଼ି ଯାଇଥିଲା । ବାନ୍ତି ସହ ଝାଡା ହୋଇଥିଲା । ପେଟ କାମୁଡା ତ’ ଅନେକଙ୍କୁ ଅସହ୍ୟ କରି ପକାଇଥିଲା । ତେବେ ବିଷାକ୍ତ ସରବତ ପିଇଥିବା କଥା ଜଣାପଡିବା ପରେ ସେମାନଙ୍କୁ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ।
ବର୍ତ୍ତମାନ ସେମାନଙ୍କର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତୀ ହେଉଥିବା ମାହାଙ୍ଗା ଗୋଷ୍ଠୀ ଚିକିତ୍ସା ଅଧିକାରୀ ନୃପେନ୍ଦ୍ର ଶତପଥୀ ସୂଚନା ଦେଇଛନ୍ତି । ଅପର ପକ୍ଷରେ ଆହୁରି ୨୦ରୁ ଅଧିକ ଲୋକ ଏହି ସରବତ ପିଇ ରାଇସୁଙ୍ଗଡା ଓ ସାଲେପୁରରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ବିଭିନ୍ନ ମନ୍ଦିର, ମେଳା ଆଦି ସ୍ଥାନରେ ଉଠା ଦୋକାନୀମାନେ ଭେଜାଲ ଖାଦ୍ୟପଦାର୍ଥ ତିଆରି କରି ବିକ୍ରି କରୁଥିବା ବେଳେ ସେମାନଙ୍କ ପ୍ରତି ପ୍ରଶାସନର ଅଙ୍କୁଶ ନ ରହିବା ଘଟଣା ସାଧାରଣରେ ଅସନ୍ତୋଷର କାରଣ ହୋଇଛି । ତୁରନ୍ତ କଟକ ଜିଲ୍ଲା ଖାଦ୍ୟ ନିରୀକ୍ଷକ ଉଠା ଦୋକାନ ବଜାର ଉପରେ ଚଢାଉ କରିବାକୁ ସାଧାରଣରେ ଦାବି ହୋଇଛି । ସେପଟେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ବିଶ୍ୱକଲ୍ୟାଣ ପଟ୍ଟନାୟକ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜ୍ୟୋତିରେଖା ନାୟକ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଶାନ୍ତ ବେହେରା ପ୍ରମୁଖ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଚିକତ୍ସିତ ରୋଗୀମାନଙ୍କର ଅବସ୍ଥା ପଚାରି ବୁଝିଥିଲେ ।