ଭୁବନେଶ୍ୱର,୧୫ା୨/(ବ୍ୟୁରୋ): ସ୍ତ୍ରୀର ଚରିତ୍ରକୁ ଭଲ ଭାବେ ଜାଣିଥିଲେ । ମୁଣ୍ଡରୁ ତାଙ୍କ ପ୍ରେମ ନିଶା ଖସିନଥିବା ବୁଝିଥିଲେ । ଏଥିପାଇଁ ସ୍ମାଟଫୋନ ଧରାଇ ସ୍ତ୍ରୀକୁ ସନ୍ତୁଷ୍ଟ ହେବାକୁ କହିଥିଲେ । କିନ୍ତୁ ସ୍ତ୍ରୀଙ୍କ ମୁଣ୍ଡରୁ ପ୍ରେମ ଭୁତ ଖସିନଥିଲା । ଯେଉଁବାଟରେ ବି ହେଉ ସେ ସମୟ କାଢ଼ି ପ୍ରେମିକ ସହ କଥା ହେଉଥିଲେ ।
ଏଥିରେ ବି ସ୍ୱାମୀ ରୋକ ଲଗାଇଦେଲେ । ପ୍ରତିଦିନ ମୋବାଇଲର କଲ ରେକର୍ଡ ଯାଞ୍ଚ କଲେ । ତେଣୁ ସ୍ତ୍ରୀଙ୍କ ମୁଣ୍ଡରେ ଚଡ଼କ ପଡିଥିଲା । କେମିତି ପ୍ରେମିକ ସହ ଯୋଡିହେବେ ଭାବି ସ୍ତ୍ରୀ ଆପଣେଇଥିଲେ ହାଇଟେକ୍ ପନ୍ଥା । ଆଉ ନିଜ ଫୋନରୁ ନୁହେଁ ବରଂ ସ୍ୱାମୀ ଶୋଇଗଲା ପରେ ତାଙ୍କ ଫୋନ୍ ରୁ ହ୍ୱାଟ୍ସଆପରେ ପ୍ରେମିକ ସହ ଯୋଡିହେଲେ । ବାସ ଏହାପରେ ଚାଲିଲା ଜୋରଦାର ପ୍ରେମ । ସ୍ୱାମୀ ବି ଏସବୁ ବିଷୟରେ କିଛି ସୁରାକ୍ ପାଉନଥିଲେ ।
ଚୋର ଘର ସବୁଦିନ ଅନ୍ଧାର ନଥିବା ପରି ହଠାତ୍ ସ୍ତ୍ରୀର ଏହି ଲୁଚାଣିଆ ପ୍ରେମ ଜଣାପଡିଗଲା । ଏହାପରେ ହୋଇଥିଲା ଖଣ୍ଡଯୁଦ୍ଧ । ସ୍ୱାମୀ, ସ୍ତ୍ରୀ ଓ ପ୍ରେମିକ ଲାଗିଲେ ଘମାଘୋଟ ଲଢ଼େଇ । ପରିସ୍ଥିତି ଏପରି ହେଲା ଯେ ମାମଲା ଶେଷରେ ଥାନାରେ ପହଞ୍ଚିଲା । ପୁଲିସ ସମସ୍ତଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣକୁ ନେଲା । ଏମିତି ଏକ ତ୍ରୀକୋଣିୟ ପ୍ରେମ କାହାଣୀ ନଜରକୁ ଆସିଛି କମିଶନରେଟ ପୁଲିସର ୟୁନିଟ-୯ ଅଞ୍ଚଳରେ । ପୂରା ଘଟଣାଟି ଏହିପରି, ସବୁଦିନ ସ୍ୱାମୀ ଶୋଇଗଲା ପରେ ସ୍ତ୍ରୀ ତାଙ୍କ ମୋବାଇଲର ହ୍ୱାଟ୍ସଆପ୍ ରେ କଥା ହେଉଥିଲେ ପ୍ରେମିକ ସହ । ଏଥିପାଇଁ ସେ ବେଶ ଚତୁରତାର ସହ ହ୍ୱାଟ୍ସଆପକୁ ବ୍ୟବହାର କରୁଥିଲେ । ସେଟିଙ୍ଗ୍କୁ ଯାଇ ଲାଷ୍ଟ ସିନ୍ ଓ ରିଡ୍ ଅପସନକୁ ବନ୍ଦ କରି ଦେଉଥିଲେ । ଫଳରେ ସ୍ୱାମୀ ଏସବୁ କିଛି ଜାଣି ପାରୁନଥିଲେ ।
ମଙ୍ଗଳବାର ରାତି କଥା । ସ୍ୱାମୀ ଶୋଇବା ପରେ ସ୍ତ୍ରୀ ଆରମ୍ଭ କରିଥିଲେ ପ୍ରେମିକ ସହ ଚାଟ । କିନ୍ତୁ ର୍ଦୁଭାଗ୍ୟ ପ୍ରେମିକ ବି କୌଣସି ଉତ୍ତର ସେଦିନ ଦେଇ ପାରିନଥିଲେ । ଏହାପରେ ସ୍ତ୍ରୀ ବାଧ୍ୟହୋଇ ମୋବାଇଲକୁ ସ୍ୱାମୀଙ୍କ ତକିଆ ତଳେ ରଖି ଦେଇ ଶୋଇପଡିଥିଲେ । ପରଦିନ ଅର୍ଥାତ୍ ବୁଧବାର ସକାଳେ ସ୍ୱାମୀ ଯେତେବେଳେ ବାହାରକୁ ଯାଇଥିଲେ ହଠାତ୍ ଏକ ନମ୍ବରରୁ ତାଙ୍କ ପାଖକୁ ମେସେଜ୍ ଆସିଥିଲା । ଯେଉଁଥିରେ ଉଲ୍ଲେଖ ରହିଥିଲା ଧନ ମୋର ଭୁଲ ହୋଇଯାଇଛି । କାଲି ଟିକେ ଶୋଇପଡିଥିଲି । ତମେ କ’ଣ କରୁଛ । ଏ ଚଣ୍ଡାଳ ଶୋଇଲାଣି ନା’ । ଏମିତି କେତେ କ’ଣ ମେସେଜ୍ ପରକୁ ପର ଆସିଥିଲା ।
ଯାହାପଢ଼ିବା ପରେ ସ୍ୱାମୀଙ୍କ ମୁଣ୍ଡ ଘୁରାଇ ଯାଇଥିଲା । ଏତେ ଜଗିବା ପରେ ବି ସ୍ତ୍ରୀ ଶେଷରେ ତାଙ୍କୁ ମୋହରା ବନାଇଥିବା ଜାଣି ରାଗ ପଞ୍ଚମକୁ ଉଠିଯାଇଥିଲା । କାମଧନ୍ଦା ଛାଡି ସ୍ତ୍ରୀ ପାଖରେ ପହଞ୍ଚି ଘଟଣା ସମ୍ପର୍କରେ ଜାଣିବାକୁ ଚାହିଁଲେ । ବାସ ଏହାପରେ ଆରମ୍ଭ ହୋଇଥିଲା ଘମାଘୋଟ ଲଢ଼େଇ । ଏକଜୁଟ ହୋଇଥିଲେ ସମସ୍ତେ । ମାରପିଟ ହୋଇ କଥା ଥାନାରେ ପହଞ୍ଚିବା ପରେ ପୁଲିସ ବି ଚିନ୍ତାରେ ପଡିଯାଇଥିଲା । କ’ଣ କରିବ ଭାବି ଶେଷରେ ସମସ୍ତଙ୍କୁ ଅଲଗା ଅଲଗା କରି ବୁଝାଇ କେସର ଆପୋଷ ସମାଧାନ କରିଥିଲା । ତେବେ ଏମିତି ଆଉ ଏକ ଘଟଣା ବାଲିଅନ୍ତା ଥାନା ଅଞ୍ଚଳରେ ଘଟିଥିବା ମଧ୍ୟ ଜଣାପଡିଛି ।