ଭୁବନେଶ୍ୱର (ଏଟିଆର ବ୍ୟୁରୋ ) : ବେଶ ହେଲା, ବହୁତ ହୋଇଗଲା । ଆଉ ନୁହେଁ । ରାଜ୍ୟ ସରକାରଙ୍କ ଉପରେ ଆଉ ଭରସା ନାହିଁ । ଏଥର ସିଧା ରାଜ୍ୟପାଳଙ୍କୁ ଭେଟି ଦାବୀ ଜଣାଇବେ ଚାଷୀ । ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ନିଷ୍ପତି ଶୁଣାଇଛି ନବ ନିର୍ମାଣ କୃଷକ ସଂଗଠନ ।
ଆସନ୍ତା ଜାନୁଆରୀ ୮ରେ ଚାଷୀଙ୍କୁ ଧରି ରାଜଭବନ ଘେରାଉ କରି ପ୍ରତିବାଦ ଜଣାଇବ ସଂଗଠନ । ଏହାସହ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ଦେବା ସହିତ ରାଜଭବନ ସାମ୍ନାରେ ସଂଗଠନ ପକ୍ଷରୁ ଧାରଣା ଦିଆଯିବ । ପ୍ରାଇସ, ପ୍ରେଷ୍ଟିଜ, ପେନସନ ଓ ଚାଷୀ ସୁରକ୍ଷା ଭତ୍ତା ଦାବୀରେ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉ ନଥିବାରୁ ଗଣତାନ୍ତ୍ରୀକ ପଦ୍ଧତିରେ ଆନ୍ଦୋଳନ କରିବ ସଂଗଠନ ।
ସେହିପରି ଆସନ୍ତା ୨୪ରେ ଖୋର୍ଦ୍ଧାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସୁଥିବା ବେଳେ ସଂଗଠନର ଦୁଇ ହଜାରରୁ ଉଦ୍ଧ୍ୱର୍ ଚାଷୀ ସେଠାରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ଦେବ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଏଥିସହିତ ସ୍ୱାମୀନାଥନ କମିଟିକୁ କେନ୍ଦ୍ର ସରକାର ଭୁଲିଯାଇଥିବା ବେଳେ ସଂଗଠନ ପକ୍ଷରୁ ଏହାକୁ ଆଉଥରେ ମନେ ପକାଇ ଦିଆଯିବ ବୋଲି କହିଛନ୍ତି ଚାଷୀନେତା ଅକ୍ଷୟ କୁମାର ।
ସୂଚନାଯୋଗ୍ୟ, ଓଡିଶା ଚାଷୀଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗରେ ସ୍ୱତନ୍ତ୍ର ଟ୍ରେନରେ ହଜାର ହଜାର ଚାଷୀଙ୍କୁ ଧରି ଦିଲ୍ଳୀ ଯିବ ଶାସକ ବିଜେଡି । ସେଠାରେ ରାଜ୍ୟର ସବୁ ମନ୍ତ୍ରୀ, ବିଧାୟକ ଓ ସାଂସଦଗଣ ଚାଷୀଙ୍କ ସହ ସଂସଦ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ପୂର୍ବରୁ ବିଜେଡି ଘୋଷଣା କରିଛି । ଯାହାକୁ କଡା ସମାଲୋଚନା କରିଛି ନବ ନିର୍ମାଣ କୃଷକ ସଂଗଠନ । ଛତିଶଗଡ ଓ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଆସିବା କ୍ଷଣି କୃଷିଋଣ ଛାଡ ହେବା ସହ ଗୋଟିଏ ରାଜ୍ୟରେ ଧାନର ସହାୟକ ମୂଲ୍ୟ ୧୭୦୦ଟଙ୍କାରୁ ୨୫୦୦ଟଙ୍କାକୁ ବୃଦ୍ଧି କରାଯାଇଛି । ହେଲେ ଓଡିଶା ସରକାର ଏ ଦିଗରେ କେନ୍ଦ୍ର ଉପରେ ନିର୍ଭର କରି ଚାଷୀଙ୍କୁ କାହିଁକି ପ୍ରତାରଣା କରୁଛନ୍ତି ବୋଲି ସଂଗଠନ ପକ୍ଷରୁ ପ୍ରଶ୍ନ କରାଯାଇଛି ।